(ବିପ୍ଲବୀ ପରିକ୍ରମା ବ୍ୟୁରୋ);କେ. ନୂଆଗାଁ ଥାନା ପୁଲସ ଏକ ଅପହରଣ ମାମଲାର ତଦନ୍ତ କରି ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଦୁଇଟି ପିସ୍ତଲ, ୫ ରାଉଣ୍ଡ୍ ଗୁଳି ଓ ୩ଟି ଖଣ୍ଡା ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ କେ. ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗ୍ରାମର କୁନା ପ୍ରଧାନ, ପୁଡ଼ୁଗେଶ୍ବରପଲ୍ଲୀର ଆଦିତ୍ୟ ନାହାକ, ତେନ୍ତୁଆପଡ଼ାର ଲାଲୁ ପ୍ରସାଦ ସେଠୀ, ଜକର ଗ୍ରାମର ରାଜୁ ଗୌଡ଼, କୁମରଡ଼ାର ଆସିଫ୍ ଖାନ୍, ଦିଗପହଣ୍ଡି ଥାନା ବଡ଼ଡୁମୁଳା ଗ୍ରାମର ପ୍ରସାଦ ଗୌଡ଼, ଜରଡ଼ା ଥାନା ଇଲାକାର ସଂଜୟ କୁମାର ରଣା, ଆସିକା କୋଟିନଡ଼ାର ରୋଶନ ମହାନ୍ତି ଓ କୁମରଡ଼ାର କୃଷ୍ଣଚନ୍ଦ୍ର ସେଠୀ ବୋଲି ବ୍ରହ୍ମପୁର ଏସ୍.ପି. ଡା. ଶରବଣା ବିବେକ ଏମ୍. ସୂଚନା ଦେଇଛନ୍ତି।ସୂଚନା ଅନୁସାରେ ଗତ ୨୩ତାରିଖ ସଂଧ୍ୟାରେ କେ. ନୂଆଗାଁ ଥାନା ଅନ୍ତର୍ଗତ ନୂଆପଡ଼ା ଗ୍ରାମର ନୃସିଂହ ପ୍ରସାଦ ପଣ୍ଡା ଓରଫ୍ ନାନା କୌଣସି କାମରେ ଚାନ୍ଦପୁର ବଜାରକୁ ଯାଉଥିଲେ। ଏହି ସମୟରେ ୪ଟି ବାଇକ୍ରେ କିଛି ଦୁର୍ବୃତ୍ତ ଆସି ତାଙ୍କୁ ଅଟକାଇଥିଲେ। ଦୁର୍ବୃତ୍ତମାନେ ନରସିଂହଙ୍କୁ ପିସ୍ତଲ ଓ ଖଣ୍ଡା ଦେଖାଇ ଭୟଭୀତ କରି ସେଠାରୁ ବାଇକ୍ରେ ଅପହରଣ କରି ନେଇଥିଲେ। ନରସିଂହଙ୍କୁ ଅପହରଣକାରୀମାନେ କୁମରଡ଼ା ଗାଁ ନିକଟସ୍ଥ ଘାଇ ନିକଟକୁ ନେଇ ଯାଇଥିଲେ। ସେଠାରେ ତାଙ୍କୁ ପ୍ରବଳ ମାଡ଼ ମାରିବା ସହିତ ଅପହରଣକାରୀ ତାଙ୍କ ଠାରୁ ୨୩ହଜାର ୪ଶହ ଟଙ୍କା ଲୁଟି ନେଇଥିଲେ। ଘଟଣା ସମ୍ପର୍କରେ କାହାକୁ କିଛି କହିଲେ ଜୀବନରେ ମାରିଦେବାକୁ ଧମକ୍ ଦେଇଥିଲେ। ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିବା ପରେ ନରସିଂହ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଏହି ମାମଲାରେ ୯ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଙ୍କ ନାମରେ ପୂର୍ବରୁ କେ. ନୂଆଗାଁ, ଦିଗପହଣ୍ଡି ଓ ଆସିକା ଥାନାରେ ମାମଲା ରହିଥିବା ବ୍ରହ୍ମପୁର ଏସ୍.ପି ସୂଚନା ଦେଇଛନ୍ତି।