(ବିପ୍ଲବୀ ପରିକ୍ରମା ବ୍ୟୁରୋ) ; ଅଧର୍ମ ଉପରେ ଧର୍ମର ଜୟ । ଅସତ୍ୟ ଉପରେ ସତ୍ୟର ବିଜୟ । ଦୁର୍ଗତୀନାଶିନୀ ମା’ ଦୁର୍ଗାଙ୍କ ଆଜି ଦଶହରା ବା ବିଜୟା ଦଶମୀ । ଗାଁଠୁ ସହର, ସବୁଠି ଦଶଭୂଜାଙ୍କ ଆରାଧନା । ପବିତ୍ର ବିଜୟା ଦଶମୀରେ ପୀଠ ଓ ମଣ୍ଡପରେ ମା’ଙ୍କ ହେଉଛି ମହାପୂଜା ।ମହିଷାମର୍ଦ୍ଦିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାମାୟା । ସକାଳୁ ଉପଚାର ପୂଜା ସହ ଅନୁଷ୍ଠିତ ହେଉଛି ନୀତିକାନ୍ତି । ଅପରାଜିତା ପୂଜା ଶେଷ ପରେ ମଣ୍ଡପରେ ଘଟ ବିସର୍ଜନ ହୋମଯଜ୍ଞ ପାଳିତ ହେବ । ଅପରାଜିତା ପୂଜା, ଅନ୍ନପୂର୍ଣ୍ଣା ଭିକ୍ଷା ଓ ଶେଷରେ ମଣ୍ଡପରେ ଘଟ ବିସର୍ଜନ ବିଧି ପାଳିତ ହେବ ।ମାଆଙ୍କ ଦର୍ଶନ କରି ସୌଭାଗ୍ୟ ଲାଭ କରୁଛନ୍ତି ହଜାର ହଜାର ଭକ୍ତ । ବିଜୟା ଦଶମୀରେ ବଙ୍ଗୀୟ ପରମ୍ପରା ଅନୁଯାୟୀ ବିଭିନ୍ନ ପୂଜା ମଣ୍ଡପରେ ସିନ୍ଦୂରଖେଳ ହେବ । ମହିଳାମାନେ ମା’ ଦୁର୍ଗାଙ୍କୁ ସିନ୍ଦୂର ଲଗାଇ ପରସ୍ପର ମଧ୍ୟରେ ସିନ୍ଦୂର ଖେଳିବେ । ସଂଧ୍ୟାରେ ରାବଣପୋଡି ଅନୁଷ୍ଠିତ ହେବ ।ଏଥିପାଇଁ ମଣ୍ଡପରେ ମନ୍ତ୍ର ଉଚ୍ଚାରଣ ସହ ଚାଲିଛି ମାଆଙ୍କ ପୂଜାପାଠ । ଲୋକେ ମାଆଙ୍କ ଦର୍ଶନ କରିବା ପାଇଁ ମଣ୍ଡପରେ ସକାଳୁ ସକାଳୁ ଭିଡ ଜମାଇଲେଣି । କଟକରେ ସୁନା-ରୁପାରେ ଝଟକୁଛନ୍ତି ମାଆ ।ଭୁବନେଶ୍ୱର ମଣ୍ଡପ ଗୁଡିକରେ ସୁଉଚ୍ଚ ତୋରଣ ଓ ସୁନ୍ଦର ଆଲୋକମାଳ, ସାଜସଜ୍ଜା ବେଶ ଆକର୍ଷଣୀୟ ହୋଇଛି । ମଣ୍ଡପରେ ମାଆ ଜଗତଜନନୀଙ୍କୁ ଦେଖିବାକୁ ପ୍ରବଳ ଭିଡ ଦେଖିବାକୁ ମିଳିଛି । କେଉଁଠି ମାଆଙ୍କ ମୃଣ୍ମୟ ମୂର୍ତି ଦେଖିବାକୁ ଲୋକଙ୍କ ଭିଡ ହେଉଛି ତ କେଉଁଠି ସୁନ୍ଦର ଆଲୋକମାଳା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ବେଶ ଉତ୍ସାହର ସହ ପାଳନ କରାଯାଉଛି ଦୁର୍ଗାପୂଜା । ଲୋକେ ମାଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି । ଆଜି ବିଜୟାଦଶମୀ ପରେ ଧରାପୃଷ୍ଠରୁ ମା ନେବେ ମେଲାଣି ।