ଆଜି ମହାମାୟାଙ୍କ ମହାନବମୀ । ସକାଳୁ ସକାଳୁ ବିଭିନ୍ନ ପୂଜାମଣ୍ଡପରେ ଆରମ୍ଭ ହୋଇଛି ମା’ଙ୍କ ମହାନବମୀ ପୂଜା । ଏହି ଅବସରରେ ଅପରାଜିତା ପୂଜା, ଚଣ୍ଡୀପାଠ, କୁମାରୀ ପୂଜା ଆଦି କରାଯିବ । ଅପରାହ୍ନରେ ଚଣ୍ଡୀ ଆହୂତି ଦିଆଯିବ । ଏବେ ରାଜଧାନୀ ସମେତ ବିଭିନ୍ନ ସହରରେ ପୂଜାମଣ୍ଡପ ଶଙ୍ଖନାଦ, ଘଂଟଘଂଟାର ଶବ୍ଦରେ ଗୁଂଜରିତ ହେଉଛି ।ସେପଟେ କଟକର ଅନ୍ୟତମ ଆକର୍ଷଣୀୟ ଓ ବିତଶାଳୀ ପୂଜା ମଣ୍ଡପ ହେଉଛି ମଙ୍ଗଳାବାଗ ପୂଜା ମଣ୍ଡପ । ସର୍ବ ପୂରାତନ ପୂଜା ମଣ୍ଡପ ଭାବେ ଅନେକ ବର୍ଷରୁ ଏଠାରେ ମା’ ପୂଜା ପାଉଛନ୍ତି । ମା’ଙ୍କ ମେଢ ସଂପୂର୍ଣ୍ଣ ଚାନ୍ଦିରେ ନିର୍ମିତ ହୋଇଥିବା ବେଳେ ମା’ଙ୍କ ମୁକୁଟ ଏବଂ ପାଶ୍ୱଦେବାଦେବୀଙ୍କ ସମସ୍ତ ଅଳଙ୍କାର ସୁନାରେ ନିର୍ମିତ ହୋଇଛି । ୩ କ୍ୱିଂଟାଲ ଚାନ୍ଦିରେ ମା’ଙ୍କ ମେଢ ତିଆରି ହୋଇଥିବା ବେଳେ ୮ କେଜିରୁ ଅଧିକ ସୁନାରେ ସମସ୍ତ ଅଳଙ୍କାର ତିଆରି ହୋଇଛି । ସୋମବାର ରାଜ୍ୟର ବିଭିନ୍ନ ମଣ୍ଡପରେ ମା’ ଦୁର୍ଗାଙ୍କ ନବମୀ ପୂଜା ଅନୁଷ୍ଠିତ ହେଉଛି । ନବମୀରେ କୁମାରୀ ପୂଜା କରିବାର ବିଧି ରହିଛି । ତେଣୁ କିଛି ମଣ୍ଡପରେ କୁମାରୀ ପୂଜା, ଗୋ-ପୂଜନ କରାଯିବ । ସେହିଭଳି ବଙ୍ଗୀୟ ପରମ୍ପରା ଅନୁସାରେ କେତେକ ମଣ୍ଡପରେ ସିନ୍ଦୁର ଖେଳ ମଧ୍ୟ ହେବାର କାର୍ଯ୍ୟକ୍ରମ ରହିଛି । ମା’ଙ୍କୁ ଝିଅ ଭାବେ ପୂଜା କରିବା ସହ ବଙ୍ଗୀୟ ଢାଞ୍ଚାରେ ସିନ୍ଦୁର ଖେଳ କରାଯାଇଥାଏ । କେତେକ ମଣ୍ଡପରେ ମାଆଙ୍କ ପାଖରେ ଲାଗିହେବ ମାଛ ଭୋଗ । ସଧବା ମହିଳା ବେଶରେ ମାତା ଦୁର୍ଗାକୁ ଝିଅ ରୂପେ ପାଇଲା ପରେ ଆଜି ଘରୁ ବିଦା କରାଯିବାର ପରମ୍ପରା ରହିଛି । ସେପଟେ ପୀଠରେ ଚାଲିଛି ଦଶମୀ ପୂଜା । ଆଜି ମହୀଷାମର୍ଦ୍ଦିନୀ ବେଶରେ ଦର୍ଶନ ଦେବେ ମା’ କଟକ ଚଣ୍ଡୀ ।