ଆନ୍ଧ୍ରପ୍ରଦେଶରେ ମାଡ ହେବ ବାତ୍ୟା “ମିଚାଉଙ୍ଗ ” ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କଲା – IMD

0

(ବିପ୍ଲବୀ ପରିକ୍ରମା ବ୍ୟୁରୋ) ; ଘଣ୍ଟା ପ୍ରତି ୮୦ରୁ ୯୦ କିଲୋମିଟର୍‌ ବେଗରେ ପ୍ରବାହିତ ବତାସ ଓ ପ୍ରବଳ ବର୍ଷା ସହିତ ଡିସେମ୍ବର ୫ ତାରିଖ ପୂର୍ବାହ୍ନରେ ସାମୁଦ୍ରିକ ବାତ୍ୟା ‘ମିଚୌଙ୍ଗ୍’ ଆନ୍ଧ୍ରପ୍ରଦେଶର ଉପକୂବର୍ତ୍ତୀ ଅଞ୍ଚଳ ନେଲୋର୍‌ ଓ ମଛିଲିପଟନମ୍‌ ମଧ୍ୟରେ ସ୍ଥଳଭାଗକୁ ପ୍ରବେଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଗଭୀର ଅବପାତ ଓ ବାତ୍ୟା ପ୍ରଭାବରେ ଦକ୍ଷିଣ ଓ ପୂର୍ବ ଭାରତର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ମଧ୍ୟ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଭାଗ ଜାରି କରିଥିବା ସତର୍କ ସୂଚନା ଅନୁଯାୟୀ, ଡିସେମ୍ବର ୪ ତାରିଖ ଦିନ ଦକ୍ଷିଣ ଉପକୂଳ ଓ ତତ୍‌ସଂଲଗ୍ନ ଦକ୍ଷିଣ ଅଭ୍ୟନ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି, ଡିସେମ୍ବର ୫ ତାରିଖରେ ମଧ୍ୟ ଉପରୋକ୍ତ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟ ଅବପାତ ଗତ ୬ଘଣ୍ଟା ଧରି ଘଣ୍ଟାପ୍ରତି ୯ କିଲୋମିଟର୍‌ ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଶୁକ୍ରବାର ରାତି ୧୧ଟା ସୁଦ୍ଧା ପୁଡ୍ଡୁଚେରୀର ପୂର୍ବ-ଦକ୍ଷିଣପୂର୍ବରୁ ୬୩୦ କିଲୋମିଟର୍‌, ଚେନ୍ନାଇର ପୂର୍ବ-ଦକ୍ଷିଣପୂର୍ବରୁ ୬୩୦ କିଲୋମିଟର୍‌, ନେଲୋର୍‌ର ଦକ୍ଷିଣପୂର୍ବରୁ ୭୪୦ କିଲୋମିଟର୍‌, ବାପଟଲାର ଦକ୍ଷିଣପୂର୍ବରୁ ୮୧୦ କିଲୋମିଟର୍‌ ଏବଂ ମଛିଲିପଟନମ୍‌ର ଦକ୍ଷିଣ-ଦକ୍ଷିଣପୂର୍ବକୁ ୮୦୦ କିଲୋମିଟର୍‌ ଦୂରରେ କେନ୍ଦ୍ରୀଭୂତ ହୋଇଥିଲା। ଏହି ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ପ୍ରାନ୍ତକୁ ଗତିଶୀଳ ହୋଇ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଗଭୀର ଅବପାତରେ ପରିଣତ ହୋଇ ଡିସେମ୍ବର ୩ ତାରିଖ ସୁଦ୍ଧା ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଉପରେ ସାମୁଦ୍ରିକ ବାତ୍ୟା ‘ମିଚୌଙ୍ଗ୍‌’ ପାଲଟିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।ଏହା ପୂର୍ବରୁ ଅର୍ଥାତ୍‌ ଡିସେମ୍ବର ୪ ତାରିଖ ପୂର୍ବାହ୍ନ ସୁଦ୍ଧା ଗଭୀର ଅବପାତ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ତତ୍‌ସଂଲଗ୍ନ ଉତ୍ତର ତାମିଲନାଡୁ ଉପକୂଳ ଅଞ୍ଚଳ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚିଯାଇଥିବ। ତା’ପରେ ଏହା ସାମୁଦ୍ରିକ ବାତ୍ୟା ‘ମିଚୌଙ୍ଗ୍‌’ରୂପେ ଘଣ୍ଟାପ୍ରତି ୧୦୦ କିଲୋମିଟର୍‌ ପବନ ଝଟକା ସହିତ ୮୦ରୁ ୯୦ କିଲୋମିଟର୍‌ ପବନ ବେଗ ସହିତ ଡିସେମ୍ବର ୫ ତାରିଖ ପୂର୍ବାହ୍ନରେ ଆନ୍ଧ୍ରପ୍ରଦେଶର ଉପକୂଳ ଅଞ୍ଚଳ ନେଲୋର୍‌ ଓ ମଛିଲିପଟନମ୍‌ ମଧ୍ୟରେ ‘ଲ୍ୟାଣ୍ଡ୍‌ଫଲ୍‌’ କରିବାକୁ ଥିବା ସୂଚନା ଦେଇଛି ପାଣିପାଗ ବିଭାଗ l

LEAVE A REPLY

Please enter your comment!
Please enter your name here