ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ। ଆଗାମୀ ୧୮ ଘଣ୍ଟା ମଧ୍ୟରେ ବାତ୍ୟା ରୂପ ନେବା ସମ୍ଭାବନା ରହିଛି। ତେବେ ସକ୍ରିୟ ଗଭୀର ଅବପାତ ଗତ ୬ଘଣ୍ଟା ମଧ୍ୟରେ ସ୍ଥିର ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ବର୍ତ୍ତମାନ ବାତ୍ୟା ପାରାଦୀପଠୁ ୪୩୦ କିମି ଦୂର ଦକ୍ଷିଣରେ କେନ୍ଦ୍ରୀଭୂତ ଥିବା ବେଳେ, ଦୀଘା ଠାରୁ ୫୯୦ କିମି ଦକ୍ଷିଣ-ଦକ୍ଷିଣପୂର୍ବରେ ରହିଛି ।ବାତ୍ୟାର ରୂପ ନେବା ପରେ ଏହା ବାଂଲାଦେଶ ଆଡକୁ ଅଗ୍ରସର ହେବାକୁ ଥିବା ବେଳେ, ୨୫ ତାରିଖରେ ଖେପୁପରା ଓ ଚିଟ୍ଟାଗଙ୍ଗ ମଧ୍ୟରେ ଉପକୂଳ ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।ସେପଟେ ସମ୍ଭାବ୍ୟ ବାତ୍ୟା ନେଇ ପାରାଦୀପରେ ଆଲର୍ଟ । ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଲା ମତ୍ସ୍ୟ ବିଭାଗ । ପାରାଦୀପର ଷଣ୍ଢକୁଦ, ନୂଆବଜାର, ଲକପଡା, ବାଲିପ୍ଲଟ, ନେହରୁବଙ୍ଗଳା, ଫିସିଙ୍ଗ ହାର୍ବର, ଚୌମୁହାଣି ଅଞ୍ଚଳରେ ଡାକବାଜି ଯନ୍ତ୍ର ଦ୍ୱାରା ସତର୍କ କରାଇଛନ୍ତି ପାରାଦୀପ ସାମୁଦ୍ରିକ ମତ୍ସ୍ୟ ବିଭାଗ କର୍ମଚାରୀ ।ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ସୋନପୁର, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଏବଂ ରାୟଗଡାରେ ହାଲୁକା ବର୍ଷା ସମ୍ଭାବନା ରହିଛି । କଟକ ଓ ଭୁବନେଶ୍ବରରେ ଦଶହରା ସାମାନ୍ୟ ଫିକା ପଡିପାରେ । କିନ୍ତୁ ତୋରଣ ପ୍ରତି ବିପଦ ନଥିବା ପାଣିପାଗ କେନ୍ଦ୍ର କହିଛି । ୨୪ ଓ ୨୫ରେ ସର୍ବାଧିକ ରହିବ ବାତ୍ୟାର ପ୍ରଭାବ । ସମୁଦ୍ର ଅଶାନ୍ତ ରହୁଥିବାରୁ ୨୬ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ହୋଇଛି । ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ବିଲରେ କଟାହୋଇ ପଡିଥିବା ଧାନକୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ପରାମର୍ଶ ଦିଆଯାଇଛି ।