(ବିପ୍ଲବୀ ପରିକ୍ରମା ବ୍ୟୁରୋ);ଆସନ୍ତାକାଲି କୁମାର ପୂର୍ଣ୍ଣିମା । ଆଉ ପୂର୍ଣ୍ଣିମାରେ ଏଥର ଚନ୍ଦ୍ର ଗ୍ରହଣ ବି ଲାଗୁଛି । ତେଣୁ କୁମାର ପୂର୍ଣ୍ଣିମାରେ ହେବାକୁ ଥବା ନୀତିକାନ୍ତିକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଚନ୍ଦ୍ର ଗ୍ରହଣ ପଡ଼ୁଥିବାରୁ ସନ୍ଧ୍ୟା ପୂର୍ବରୁ କୁମାର ପୂର୍ଣ୍ଣିମା ପୂଜା ସାରିବାକୁ ଜ୍ୟୋତିଷ ମତ ଦେଇଛନ୍ତି ।ଆସନ୍ତାକାଲି ମଧ୍ୟରାତ୍ରରେ ଦୃଶ୍ୟମାନ ହେବ ଆଂଶିକ ଚନ୍ଦ୍ର ଗ୍ରହଣ । ଗ୍ରହଣ ରାତି ୧ଟା ୫ ମିନିଟରୁ ଆରମ୍ଭ ହୋଇ ରାତି ୨ଟା ୨୪ରେ ଶେଷ ହେବ । ଚନ୍ଦ୍ର ଗ୍ରହଣର ଅବଧି ୧ ଘଣ୍ଟା ୧୯ ମିନିଟ ରହିବ । ସେପଟେ ଚନ୍ଦ୍ର ଗ୍ରହଣକୁ ଦୃଷ୍ଟିରେ ରଖି ମା’ ସମଲେଇଙ୍କ ମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ଧ୍ୱଜାରୋହଣ ଓ ନୀତିକାନ୍ତି ସମୟରେ ପରିବର୍ତ୍ତନ କରାଯାଇଛି। ପ୍ରତିବର୍ଷ ରାତି ସମୟରେ ଧ୍ୱଜାରୋହଣ ଅର୍ଥାତ୍ ମନ୍ଦିର ଚୁଡ଼ାରେ ଲାଗିଥିବା ପୁରୁଣା ପତାକାକୁ ଅପସାରଣ କରି ନୂଆ ପତାକା ଲଗାଯାଇଥାଏ । କିନ୍ତୁ ଏଥର ଚନ୍ଦ୍ର ଗ୍ରହଣ ପଡ଼ୁଥିବାରୁ ପରିବର୍ତ୍ତିତ ସମୟ ନିର୍ଘଣ୍ଟ ଅନୁସାରେ ଆସନ୍ତାକାଲି ସକାଳ ୬ଟାରୁ ସକାଳ ୧୧ଟା ୪୫ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ। ୧୧ଟା ୪୫ ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ।ସେହି ସମୟ ମଧ୍ୟରେ ମା’ ଙ୍କର ଅନ୍ନଭୋଗ, ଶ୍ରୀଙ୍ଗାର ଓ ରାଜରାଜେଶ୍ୱରୀ ବେଶ ଅନୁଷ୍ଠିତ ହେବ । ଏଥିସହ ଧ୍ୱଜାରୋହଣ କରାଯାଇ ମହାଦୀପ ଉଠିବ । ପୁଣି ୨ଟାରୁ ୩ଟା ୧୫ ଯାଏ ସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ । ତା’ ପରେ ଚନ୍ଦ୍ର ଗ୍ରହଣ ପାଇଁ ୩ଟା ୧୫ରୁ ମନ୍ଦିର ବନ୍ଦ ରହିବ। ସେପଟେ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ନୀତିନିର୍ଘଣ୍ଟ ହୋଇଛି । ୨୮ ତାରିଖ ରାତି ୨ ଟାରୁ ଦ୍ବାରଫିଟା ଯାଇ ଭୋର ୪ଟା ୩୦ ରୁ ୫ଟା ୩୦ ମଧ୍ୟରେ ରାଧା ଦାମୋଦର ବେଶ, ସକାଳ ୮ ଟା ରୁ ୮ଟା ୩୦ ମଧ୍ୟରେ ବାଳଭୋଗ ଓ ଅପରାହ୍ଣ ୨ ଟାରେ ଗ୍ରହଣ ମହାସ୍ନାନ ଶେଷ ହେବ । ୪ ଟା ୪ ମିନିଟ ୫୫ ସେକେଣ୍ଡରୁ ପାକ ତ୍ୟାଗ ଓ ଦେବ ନୀତି ନିଷିଦ୍ଧ ହେବ ।