ପରିବାର ଉଜାଡି ଦେଲା ଦାୟୀତ୍ବ ହୀନତା : ହାଇଟେକ ହସ୍ପିଟାଲରେ ବିସ୍ଫୋରଣ ଘଟଣା

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ଭୁବନେଶ୍ୱର ହାଇଟେକ ହସ୍ପିଟାଲ ବିସ୍ଫୋରଣ ଘଟଣାରେ ନୂଆ ଟ୍ଵିଷ୍ଟ । ଏସି ବିସ୍ଫୋରଣ ଘଟଣାରେ ଜଣେ ମୃତକଙ୍କର ପରିଚୟକୁ ନେଇ ସୃଷ୍ଟି ହୋଇଛି ବିରାଟ ଦ୍ବନ୍ଦ୍ବ । ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଆତ୍ମହତ୍ୟା କରିଥିବାବେଳେ ବର୍ତ୍ତମାନ ଏହି ଖବର ସମସ୍ତଙ୍କୁ ଚକିତ କରିଛି । ଭୁବନେଶ୍ବର ହାଇଟେକ ହସ୍ପିଟାଲରେ ବିସ୍ଫୋରଣ ଘଟଣାରେ ଏବେ ସାମ୍ନାକୁ ଆସିଛି ଏମିତି ଏକ ବଡ଼ ଧରଣର ତ୍ରୁଟି । ଦାୟିତ୍ବହୀନତା ଯୋଗୁ ଘଟିଥିଲା ଏହି ଅଭାବନୀୟ ଘଟଣା । ବିସ୍ଫୋରଣରେ ଆହତ ହୋଇ ପରେ ପ୍ରାଣ ହରାଇଥିବା ଜ୍ୟୋତି ନାମକ ଜନୈକ ବ୍ୟକ୍ତିଙ୍କୁ ଭୁଲ୍ କ୍ରମେ ଦିଲୀପ ସାମନ୍ତରାୟ ଭାବି ପୋଡି ଦିଆଯାଇଥିବା ଅଭିଯୋଗ ହୋଇଛି।

ସ୍ବାମୀ ଦିଲୀପ ପ୍ରାଣ ହରାଇଥିବା ଖବର ପାଇ ପତ୍ନୀ ସୌମ୍ୟାଶ୍ରୀ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇଥିଲେ । ଅକାଳ ଓ ଅଯଥାରେ ଉଜୁଡି ଯାଇଥିଲା ପରିବାର । ତେବେ ମୃତ ଘୋଷିତ ଦିଲ୍ଲୀପ ସାମନ୍ତରାୟ ପ୍ରକୃତରେ ଜୀବିତ କି, ତାକୁ ନେଇ ଦେଖାଦେଇଛି ଦ୍ବନ୍ଦ୍ବ । ଗତ ୩୦ ତାରିଖରେ ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା, ତାଙ୍କ ପରିଚୟ ସେତେବେଳେ ଦିଲୀପ ସାମନ୍ତରାୟ ବୋଲି କୁହାଯାଇଥିଲା ଏବଂ ଦିଲୀପଙ୍କ ପରିବାର ଲୋକେ ଦଗ୍ଧ ମୃତଦେହକୁ ନେଇ ଅନ୍ତିମ ସଂସ୍କାର ମଧ୍ୟ କରି ସାରିଛନ୍ତି । ହେଲେ ଚାଞ୍ଚଲ୍ୟକର କଥା ହେଉଛି, ହାଇଟେକ ମେଡିକାଲର ଆଇସିୟୁରେ ଅନ୍ୟ ଜଣେ ଆହତ ଜ୍ୟୋତିରଞ୍ଜନ ମଲ୍ଲିକ ବୋଲି ଭାବି ଯାହାଙ୍କର ଚିକିତ୍ସା ଚାଲିଥିଲା, ସେ ଗତକାଲି ଭେଣ୍ଟିଲେଟରରୁ ବାହାରିବା ପରେ ନିଜ ନାଁ ଦିଲୀପ ସାମନ୍ତରାୟ ବୋଲି କହିବା ପରେ ହସ୍ପିଟାଲ ଦ୍ୱାରା ହୋଇଥିବା ବଡ଼ ତ୍ରୁଟି ସାମ୍ନାକୁ ଆସିଛି । ଗତ ଶୁକ୍ରବାର ସନ୍ଧ୍ୟାରେ ହସ୍ପିଟାଲ ଭିତରେ ହୋଇଥିଲା ବିସ୍ଫୋରଣ । ମରାମତି କାମ ଚାଲିଥିବା ବେଳେ ଫାଟି ଯାଇଥିଲା ଅକ୍ସିଜେନ ସିଲିଣ୍ଡର । ବିସ୍ଫୋରଣରେ ହସ୍ପିଟାଲ କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡ ଆହତ ହୋଇ ଚିକିତ୍ସିତ ହେଉଥିଲେ । ତେବେ ଏତେ ବଡ଼ ଭୁଲ ପାଇଁ ପ୍ରକୃତରେ ଦାୟୀ କିଏ ? କାହାର ତ୍ରୁଟିପୂର୍ଣ୍ଣ ସୂଚନା ପାଇଁ ଏଭଳି ଜଘନ୍ୟ କାଣ୍ଡ ଘଟିଛି ? ଅନ୍ୟପଟେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିଚୟ କଣ ତାହାକୁ ନେଇ ସସପେନସ ଜାରି ରହିଛି ।

 

LEAVE A REPLY

Please enter your comment!
Please enter your name here