ଭୁଲିଗଲା ମାନବିକତା

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଦେଶରେ ପୁଣି ଲଜ୍ଜା । ଅମଣିଷ ଭୁଲିଗଲା ମାନବିକତା। ଚୁଲିକୁ ଚାଲିଗଲା ସମ୍ୱେଦନଶୀଳତା। କ୍ରୋଧକୁ ଆୟତ୍ତ କରିନପାରି ଯେଉଁ କାମ କଲେ, ତାହା ସମାଜରେ ମୁଣ୍ଡକୁ ନୁଆଁଇଦେଲା। ଜଣେ ମହିଳାଙ୍କୁ ବିବସ୍ତ୍ର କରି ଗାଁ ଦାଣ୍ଡରେ ବୁଲାଇବା ଭଳି ଅମାନବୀୟ ଓ ଅଶୋଭନୀୟ ଆଚରଣର ପୁନରାବୃତ୍ତି ଘଟିଛି କର୍ଣ୍ଣାଟକରେ। ମହିଳାଙ୍କ ପୁଅ ଜଣେ ଯୁବତୀକୁ ନେଇ ଗାଁ ଛାଡ଼ି ଚାଲିଯିବାରୁ କର୍ଣ୍ଣାଟକର ବେଲଗାଭି ଜିଲ୍ଲାରେ ମହିଳାଙ୍କୁ ଉଲଗ୍ନ କରି ଗାଁ ଦାଣ୍ଡରେ ବୁଲାଇବା ଭଳି ଅମାନବୀୟ ଓ ସମ୍ୱେଦନହୀନତାର ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମହିଳାଙ୍କୁ ଆଗେ ମାଡ଼ ମାରିବା ପରେ ଦୁର୍ବୃତ୍ତ ମାନେ ଘରେ ଥିବା ଆସବାବପତ୍ର ଫିଙ୍ଗିଥିଲେ,ଆଉ ତା ପରେ ତାଙ୍କୁ ବିବସ୍ତ୍ର କରି ପୁରା ଗାଁରେ ବୁଲାଇଲେ। ହେଲେ ଏତିକିରେ ବି ମନ ବୁଝିଲାନି ଯେ, ବିଜୁଳି ଖୁଣ୍ଟରେ ବାନ୍ଧି ଦେଇଥିଲେ ନିର୍ଯ୍ୟାତନା । କର୍ଣ୍ଣାଟକର ବେଲଗାଭି ଜିଲ୍ଲା ବଣ୍ଟାମୁରୀ ଗାଁରୁ ଆସିଥିବା ଏହି ଅଭାବନୀୟ ଘଟଣା ପଛର କାରଣ ବି ଜାଣିଲେ ଯେ କେହି ତାଜୁବ୍ ହୋଇଯିବ। ମହିଳାଙ୍କ ପୁଅ ୨୪ ବର୍ଷୀୟ ଅଶୋକର ସେହି ଗାଁର ୧୮ ବର୍ଷୀୟା ପ୍ରିୟଙ୍କାଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଦୁଇ ଜଣ ଏକା ଗାଁର ଥିଲା ବେଳେ ଗୋଟିଏ ଜାତିର ଥିଲେ। ପ୍ରିୟଙ୍କାଙ୍କ ବିବାହ ଆଉ କାହା ସହ ହେବାର ଥିଲା। ତେବେ ଦୁହିଁଙ୍କ ଭିତରେ ସମ୍ପର୍କ ଥିବାରୁ ୧୧ ତାରିଖ ବିଳମ୍ୱିତ ରାତିରେ ଦୁହେଁ ଗାଁରୁ ଫେରାର୍ ହୋଇଯାଇଥିଲେ। ଏହାକୁ ନେଇ ଯୁବତୀଙ୍କ ଅଭିଭାବକ ଓ ସମ୍ପର୍କୀୟ ଖପ୍ପା ଥିଲେ। ଅଶୋକ ଏଭଳି କରିଥିବା ଜାଣିବା ପରେ କ୍ରୋଧରେ ପୁରା ପରିବାର ତାଙ୍କ ଘରେ ପଶିଯାଇଥିଲେ। ଅଶୋକଙ୍କ ମାଆଙ୍କ ସହ ପ୍ରଥମେ ମାଡ଼ପିଟ୍ କରିଥିଲେ। ଆଉ ତା ପରେ ଉଲଗ୍ନ କରି ଗାଁ ଦାଣ୍ଡରେ ବୁଲାଇବା ସହ ବିଜୁଳି ଖୁଣ୍ଟରେ ବାନ୍ଧିଦେଇଥିଲେ। ତେବେ ଭୋର୍ ୪ଟା ରେ ପୁଲିସକୁ ଏହି ସୂଚନା ମିଳିବ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲା ଏବଂ ହସ୍ପିଟାଲ ନେଇ ତାଙ୍କର ଚିକିତ୍ସା କରାଇଥିଲା। ଏହି ଘଟଣାକୁ ନେଇ ଗାଁରେ ବରିଷ୍ଠ ଅଧିକାରୀ ପହଞ୍ଚି ତନାଘନା କରିଥିଲେ। ଏଥିରେ ସଂପୃକ୍ତ ୭ ଜଣଙ୍କୁ ବି ଗିରଫ କରିଛି ପୁଲିସ। ଏହି ଘଟଣାକୁ ନେଇ ରାଜନୀତିକ ବୟାନବାଜି ଆରମ୍ଭ ହୋଇଥିବାବେଳେ ବିଜେପି କହିଛି, କଂଗ୍ରେସ ସରକାର ଅମଳରେ ଏମିତି ଘଟଣା ଘଟୁଛି। ଆଇନଶୃଙ୍ଖଳା ବିଗିଡ଼ିଲାଣି। ବେଲଗାଭିରେ ବୁଧବାର ବଡ଼ ଧରଣର ଆନ୍ଦୋଳନ ହେବ ବୋଲି କହିଛି ବିଜେପି। ରାଜ୍ୟ ସରକାର ଓ ଆଇନଶୃଙ୍ଖଳା ପରିସ୍ଥିତି ବିରୁଦ୍ଧରେ ଆନ୍ଦୋଳନ ହେବ। ଅନ୍ୟପଟେ ଏଭଳି ଅଭାବନୀୟ ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା। ଏହାକୁ ଅମାନବୀୟ କହିବା ସହ ଅପରାଧୀଙ୍କ ବିରୁଦ୍ଧରେ କଡ଼ାରୁ କଡ଼ା ଆକ୍ସନ ହେବ ବୋଲି ନିର୍ଦେଶ ଦେଇଛନ୍ତି। ଏହି ଘଟଣାରେ ପୁରା ସମାଜର ମୁଣ୍ଡ ତଳକୁ କରିଥିବାବେଳେ ପୀଡ଼ିତା ପରିବାରକୁ ନ୍ୟାୟ ଦେବା ଦାୟିତ୍ୱ ସରକାରଙ୍କର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଗୃହ ମନ୍ତ୍ରୀ ଜି.ପରମେଶ୍ୱର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଅଶୋକ ଓ ପ୍ରିୟଙ୍କାଙ୍କୁ ଗାଁକୁ ଫେରାଇ ଆଣିବାକୁ ପ୍ରୟାସ କରାଯିବ। ସେପଟେ ଗାଁ ରେ କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ବ୍ୟାପକ ପୁଲିସ ମୁତୟନ କରାଯାଇଥିବାବେଳେ ସେମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ଗୃହ ମନ୍ତ୍ରୀ l

LEAVE A REPLY

Please enter your comment!
Please enter your name here