(ବିପ୍ଲବୀ ପରିକ୍ରମା ବ୍ୟୁରୋ);କଟକରେ ଦଶହରା ଅବସରରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସାକ୍ଷାତ ପରେ ସେ କଂଗ୍ରେସରୁ ପୁଣି ଲଢ଼ିବା ନେଇ ଚାଲିଛି କଳ୍ପନାଜଳ୍ପନା । ଦୁହେଁ ଗୋଟିଏ ମଂଚରେ ପାଖାପାଖି ଛିଡା ହେବା ପରେ କିଛି ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ମୋକିମଙ୍କ ବୟାନ । ସେ କହିଛନ୍ତି, ଖୁବ ଶୀଘ୍ର ମୋର ନିଲମ୍ବନ ହଟିବ ଓ ୨୦୨୪ ନିର୍ବାଚନ କଂଗ୍ରେସ ଟିକେଟରେ କଟକ ବାରବାଟୀରୁ ଲଢ଼ିବି। ସେ ଆହୁରି କହିଛନ୍ତି, ଗୋଟେ ଦଳର ନେତା ଆମେ ସବୁ ଏକାଠି ହେବା ବହୁତ ଖୁସି ଲାଗିଲା। ପୂଜା ମଣ୍ଡପରେ ଏକତ୍ରିତ ହେଲୁ। ଦଳ ମୋତେ ସସ୍ପେଣ୍ଡ କରିଛି। କିନ୍ତୁ ମୁଁ ମୋ ନିର୍ବାଚନ ମଣ୍ଡଳୀରେ ଅଛି। ଆଗକୁ ଚିତ୍ର ହେବ ସ୍ପଷ୍ଟ। ବାରମ୍ବାର କହିଛି ମୁଁ କଂଗ୍ରେସ ତୃଣମୂଳ ସ୍ତରର ନେତା। ଯେତେ ଆକ୍ସନ ନେଲେ ବି ଅଛି ରହିବି। ଖୁବ୍ ଶୀଘ୍ର ମୋତେ ଦଳ ଗ୍ରହଣ କରିବ। ସାମୟିକ ନିଲମ୍ବନ ହୋଇଛି। ପୁଣି ଦଳ ମୋତେ ଆପଣାଇ ମୋତେ ମୋ ଦାୟିତ୍ଵ ଫେରାଇବ। ମୁଁ କଂଗ୍ରେସରୁ ହିଁ ଲଢ଼ିବି ବୋଲି ନିଜର ପ୍ରତିକ୍ରିୟା ରଖିଛନ୍ତି । ଗତ କିଛି ଦିନ ହେବ ମୋକିମ୍ କଂଗ୍ରେସ କିମ୍ବା ରାଜ୍ୟ କଂଗ୍ରେସର ନେତୃତ୍ୱ ପ୍ରତି ଶାଣିତ ଆକ୍ରମଣରୁ ନିଜକୁ ଦୂରେଇ ରଖିଛନ୍ତି। ଏହାସହ ଅନ୍ୟ ଦଳକୁ ଯିବା ନେଇ ପୂର୍ବରୁ ଲାଗି ରହିଥିବା ଚର୍ଚ୍ଚାକୁ ମଧ୍ୟ ସେ ଖୋରାକ୍ ଯୋଗାଇବା ଭଳି କାର୍ଯ୍ୟରୁ ବର୍ତ୍ତିବାକୁ ଚେଷ୍ଟା କରିଛନ୍ତି। ଅନ୍ୟପଟେ ପୂର୍ବରୁ ମୋକିମ୍ ଆସନ୍ତା ୨୦୨୪ ନିର୍ବାଚନ ଲଢ଼ିବା ନେଇ ସ୍ପଷ୍ଟ କରିଛନ୍ତି। ଯଦି କଂଗ୍ରେସ ନ ହୁଏ, ସେ ସ୍ୱାଧୀନ ଭାବେ ଲଢ଼ିବେ ବୋଲି କହିଛନ୍ତି। ଏଥିପାଇଁ ସେ ପୁଣିଥରେ କଂଗ୍ରେସକୁ ଫେରିବା ସହ ନିର୍ବାଚନ ପୂର୍ବରୁ ତାଙ୍କ ଉପରୁ ନିଲମ୍ବନ ଉଠିଯିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ପିସିସି ସଭାପତି ଭାବେ ଦାୟିତ୍ୱ ନେବା ପରେ ଶରତ ପଟ୍ଟନାୟକ ଓ ମୋକିମ୍ଙ୍କର କେବେ ଭେଟ ହୋଇ ନଥିଲା। ପରବର୍ତ୍ତୀ ସମୟରେ ମୋକିମ୍ଙ୍କ ବିଭିନ୍ନ ବୟାନ ତାଙ୍କୁ କଂଗ୍ରେସ ଓ କଂଗ୍ରେସର ନେତୃତ୍ୱଙ୍କଠାରୁ ଦୂରେଇ ଥିଲା। ଜୁଲାଇରେ ଏହା ଚରମ ରୂପ ନେବା ସହିତ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ଏବେ ଏହି ଭେଟ୍ଘାଟ୍ ଏଥିରେ ମଲମ ଲଗାଇଥିବା ବେଳେ ଆଗକୁ ନେଇ ଏହା ଏକ ନୂଆ ସମୀକରଣ ସୃଷ୍ଟି ହୋଇପାରେ ବୋଲି ଚର୍ଚ୍ଚା ହେଉଛି।