ମହେନ୍ଦ୍ରତନୟା ମହୋତ୍ସବ ଉଦଯାପିତ

0

ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ଗୋଷାଣି ବ୍ଲକ ସଦର ମହକୁମା ଠାରେ ଚାଲିଥିବା ମହେନ୍ଦ୍ରତନୟା ମହୋତ୍ସବ ପାରମ୍ପାରିକ ନୃତ୍ୟ ଗୀତ, ବିଶିଷ୍ଠ କଣ୍ଠଶିଳ୍ପୀଙ୍କ ସଙ୍ଗୀତ ପରିବେଷଣ, ସୁସଜ୍ଜିତ ଆଲୋକମାଳାରେ ଝଲସୁଥିବା ଗଣ ମୋହତ୍ସବ ଧୂମଧାମରେ ସମାପନ ହୋଇଛି । ଦୁଇ ଦିନ ଧରି ବହୁ ସଂଖ୍ୟକ ଶ୍ରୋତା ତଥା ଜନସାଧାରଣଙ୍କ ଉପସ୍ଥିତିରେ ଭରପୁର ଆନନ୍ଦ ଉଲ୍ଲାସର ସହ ଉଦ୍‌ଯାପିତ ହୋଇଛି । ଆଜି ଦ୍ୱିତୀୟ ତଥା ଅନ୍ତିମ ରଜନୀରେ ବ୍ଲକ ଏବଂ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା କଳାକାରଙ୍କ ସହ ରାଜ୍ୟର ବିଶିଷ୍ଠ କଣ୍ଠଶିଳ୍ପୀମାନେ ଦମଦାର ସଙ୍ଗୀତ ପରିବେଷଣ ଜନସାଧାରଣଙ୍କୁ ବାନ୍ଧି ରଖିଥିଲା । ଚଳିତ ବର୍ଷ ଏହି ମହେନ୍ଦ୍ରତନୟା ଉତ୍ସବର ପ୍ରସାର ପ୍ରଚାରରେ ବ୍ୟତିକ୍ରମ ଯୋଗୁଁ ସେତେଟା ଜନସମାବେଶ ହୋଇ ନଥିଲା । ପୂର୍ବ ବର୍ଷ ମାନଙ୍କ ତୁଳନାରେ ଚଳିତ ବର୍ଷ କମ୍ ଦର୍ଶକ ଥିବାକୁ ନେଇ ଚର୍ଚ୍ଚା ହେଉଛି । ସେହପରି ଚଳିତ ବର୍ଷ ଗୁରାଣ୍ଡି ସରପଞ୍ଚ ଶିଳ୍ପା ପାତ୍ରଙ୍କ ନାମକୁ ପ୍ରଥମେ ଉତ୍ସବ କମିଟିରେ ରଖାଯାଇଥିଲେ ମଧ୍ୟ ପରବର୍ତ୍ତୀ ମୁହୂର୍ତ୍ତରେ ବାଦ ଦେଇଥିବାରୁ ଶ୍ରୀମତୀ ପାତ୍ର ଉଦବେଗ ପ୍ରକାଶ କରିଛନ୍ତି । ସେହିପରି ଚଳିତ ଥର କେତକ ତୃଟି ପରିଲିକ୍ଷିତ ହୋଇଥିବାର କେତେକ ଜନପ୍ରତିନିଧି ମାନେ କହିଛନ୍ତି । ଏପରି ପରିସ୍ଥିତିରେ ବହୁ ଜନପ୍ରତିନିଧିମାନେ ଏହି ମହୋତ୍ସବରେ ଯୋଗ ଦେଇନଥିବାର ଜଣାପଡିଛି । ମୋଟା ମୋଟି ଭାବେ କହିବାକୁ ଗଲେ ଉତ୍ସାହ ଉଦ୍ଦୀପନା, ଆନନ୍ଦ ଉଲ୍ଲାସରେ ସମାପନ ହୋଇଥିବାର ଜଣାପଡିଛି । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦେଶାତ୍ମକବୋଧ ସଂଗୀତ ଓ ନୃତ୍ୟ ପରିବେଷଣ ସାଙ୍ଗକୁ ସମ୍ବଲପୁରୀ ନୃତ୍ୟ, ଆଦିବାସୀ ନୃତ୍ୟରେ ମଞ୍ଚ ଦୁଲିକି ଥିଲା । ଆଉ ଏହି ନୃତ୍ୟ ସଙ୍ଗୀତର ତାଳେ ତାଳେ ଦର୍ଶକ ତଥା ଜନସାଧାରଣ ଝୁମି ଉଠିଥିଲେ । ଆଜିର ଅନ୍ତିମ ରଜନୀରେ ନୃତ୍ୟଗୀତ ଶବ୍ଦରେ ପ୍ରକମ୍ପିତ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ପୂର୍ବରୁ ସଭା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ ଯୋଗଦେଇଥିଲେ । ବ୍ଲକ ଅଧ୍ୟକ୍ଷ ଏନ୍‌.ବୀରରାଜୁ, ଉପାଧ୍ୟକ୍ଷା ଏସ୍‌.ଅନୁସୂୟାଦେବୀ, ଜିଲ୍ଲାପରିଷଦ ସଭ୍ୟ ଏସ୍‌.ବାଲାରାଜୁ, ଜିଲ୍ଲାପରିଷଦ ସଭ୍ୟା ନୀଲାବତୀ ପାରିଗା ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ଏହାସାଙ୍ଗକୁ ପଞ୍ଚାୟତ ସମିତିର ବହୁ ସରପଞ୍ଚ, ସମିତି ତଥା ଜନପ୍ରତିନିଧ ଗଣ ମଧ୍ୟ ଯୋଗଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ରାଓ ଗଜପତି ମାଟିର ଗୁଣଗାନ କରି ଏଠାକାର ଅବଦାନ ସମ୍ପର୍କେ ବକ୍ତବ୍ୟ ରଖିବା ସହ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା, ବିକାଶର ବାର୍ତ୍ତା ଆଦି ସମ୍ପର୍କରେ କହିଥିଲେ । ଏହାସହ ଗୋଷାଣି ବ୍ଲକର କଳା ସଂସ୍କୃତି ପରମ୍ପରାର ପର୍ବ ମହେନ୍ଦ୍ରତନୟା ମହୋତ୍ସବକୁ ପ୍ରଶଂସା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଗୋଷାଣି ବିଡିଓ ଅଜୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ପ୍ରତ୍ୟକ୍ଷ ଭାବେ ପରିଚାଳନାରେ ହୋଇଥିବା ବେଳେ ସହକାରୀ ନିର୍ବାହୀ ଯନ୍ତ୍ରୀ ନିହାର ନାଇକ, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ବିନୋଦ ଗୌଡ, ବ୍ଲକର ସମସ୍ତ ଯନ୍ତ୍ରୀ, କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here