(ବିପ୍ଲବୀ ପରିକ୍ରମା ବ୍ୟୁରୋ);ପୁଣିଥରେ ଚର୍ଚ୍ଚାକୁ ଆସିଛି ଦିଗପହଣ୍ଡି ରାଜନୀତି। ବ୍ଲକ୍ ଅଧ୍ୟକ୍ଷ ଉପନିର୍ବାଚନକୁ ନେଇ ଦିଗପହଣ୍ଡି ରାଜନୀତି ବେଶ୍ କିଛିଦିନ ସରଗରମ ରହିଥିଲା। ଏଥର କିନ୍ତୁ ଭିନ୍ନ ଏକ ପ୍ରସଙ୍ଗକୁ ନେଇ ହଟଚମଟ ସୃଷ୍ଟି ହୋଇଛି। ଗପହଣ୍ଡି ରାଜନୀତିରେ ତନ୍ତ୍ରବିଦ୍ୟା ପ୍ରୟୋଗକୁ ନେଇ ଏକ ଘଟଣା କେବଳ ଜିଲ୍ଲା ନୁହେଁ, ରାଜ୍ୟ ରାଜନୀତିରେ ମଧ୍ୟ ଚର୍ଚ୍ଚାର ଖୋରାକ୍ ଯୋଗାଇଛି। ପୂର୍ବତନ ମନ୍ତ୍ରୀ ତଥା ଦିବଙ୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କୁ ତନ୍ତ୍ରମନ୍ତ୍ର କରାଯାଇଥିବା ଏବେ ଚର୍ଚ୍ଚା ଜୋର ଧରିଛି । ଫଟୋ ଚିରା ହୋଇଛି, ମାଛ ବଳି ଦିଆଯାଇଛି । କିଛି ଏଭଳି ଘଟଣାର ଭିଡିଓ ଏବେ ଭାଇରାଲ ହେଉଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଅଁଳାଗୁଡ଼ା ରାସ୍ତା କଡ଼ରେ ଥିବା ଏକ ବରଗଛ ମୂଳରେ ଏମିତି ଗୁଣି ଗାରେଡ଼ି କରାଯାଇଥିବା କୁହାଯାଉଛି । ବିଜେଡି ନେତା ବିପ୍ଲବ ପାତ୍ରଙ୍କ ସମେତ ତାଙ୍କ ସହଯୋଗୀ ସିମାଦ୍ରୀ ପାତ୍ର ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀ ନିରଞ୍ଜନ ରେଡ୍ଡୀଙ୍କ ଫଟୋ ବି ଚିରିକି ଫୋପାଡ଼ା ଯାଇଛି । ପାଖରେ ମାଛ ବଳି ଦିଆଯିବା ସହ ହଳଦୀ, ସିନ୍ଦୂର, ଲାଲ୍ କନା ବି ରହିଛି । ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ଲାଗୁଛି ତନ୍ତ୍ର ବିଦ୍ୟା ବେଳେ ଯେପରି ପରିବେଶ ଥାଏ ଏଠି ବି ସେଭଳି ଦେଖିବାକୁ ମିଳିଛି ।ତେବେ କିଏ ଓ କାହିଁକି ଏଭଳି ତନ୍ତ୍ରବିଦ୍ୟା କରିଛନ୍ତି, ତାହା ସ୍ପଷ୍ଟ ହୋଇ ନାହିଁ। ଏହା ଏକ ତନ୍ତ୍ରବିଦ୍ୟା ନା, ଏଭଳି କାର୍ଯ୍ୟ କରିବା ପଛରେ ଅନ୍ୟ କିଛି ଉଦ୍ଦେଶ୍ୟ ରହିଛି, ତାହା ଏବେ ଦିଗପହଣ୍ଡିରେ ଚର୍ଚ୍ଚାର ବିଷୟ ହୋଇଛି। ଗତ ୧୪ତାରିଖରେ ଅମାବାସ୍ୟା ରାତିରେ ଏଭଳି କାଣ୍ଡ କରାଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ଏହା ପ୍ରଚାର ହେବା ପରେ ବିପ୍ଳବଙ୍କ ସମର୍ଥକ ଗୋଷ୍ଠୀ ଏଭଳି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି। ଯେଉଁମାନେ ଏଭଳି କାର୍ଯ୍ୟ କରିଛନ୍ତି, ସେମାନେ ତୁରନ୍ତ ଏଭଳି କାମରୁ ନିଜକୁ ନିବୃତ୍ତ ରଖିବାକୁ ଦାବି କରିଛନ୍ତି।