(ବିପ୍ଲବୀ ପରିକ୍ରମା ବ୍ୟୁରୋ);୨୪ ମହାଲଢ଼େଇର ଢେର ପୂର୍ବରୁ ଚର୍ଚ୍ଚାରେ ପୁରୀ । ଚର୍ଚ୍ଚାରେ ମୋଦି-ନବୀନ । ପୁରୀରୁ ବିଧାନସଭା ନିର୍ବାଚନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢ଼ିପାରନ୍ତି ବୋଲି ଏବେ ଚର୍ଚା ଜୋର ଧରିଛି । କାରଣ ଧାର୍ମିକ ଭାବନା ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ପୁରୀ ବିଧାନସଭା କ୍ଷେତ୍ରରୁ ଏଥର ମୁଖ୍ୟମନ୍ତ୍ରୀ ନିଜ ଭାଗ୍ୟ ପରୀକ୍ଷା କରିପାରନ୍ତି ବୋଲି ଦଳ ଭିତରୁ କଥା ଉଠିବା ପରେ, ପ୍ରଧାନମନ୍ତ୍ରୀ ବି ଶ୍ରୀକ୍ଷେତ୍ରରୁ ଲଢ଼ି ପାରନ୍ତି ବୋଲି ବିଜେପି କହିଛି । ତେଣୁ ସେ ଦୃଷ୍ଟିରୁ ଖାଲି ଜଗନ୍ନାଥଧାମ ନୁହେଁ, ସରଗରମ ରାଜ୍ୟ ରାଜନୀତି ।ପୁରୀ ବିଧାନସଭା କ୍ଷେତ୍ରରୁ ନବୀନ ଲଢି ପାରନ୍ତି ବୋଲି ବରିଷ୍ଠ ଦଇତାପତି ସେବାୟତ ତଥା ବିଜେଡି ନେତା ରାମକୃଷ୍ଣ ଦାସ ମହାପାତ୍ର କହିବାପରେ ପୁରୀ ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ ବି ମୋଦୀ ଶ୍ରୀକ୍ଷେତ୍ର ଧାମରୁ ଲଢୁଥିବାର ଗୁଗଲି ଫିଙ୍ଗିଥିଲେ । ଯାହାକୁ ନେଇ ସରଗରମ ରାଜ୍ୟ ରାଜନୀତି । ସେପଟେ ମୁଖ୍ୟମନ୍ତ୍ରୀ ପୁରୀରୁ ଲଢ଼ିବା ଚର୍ଚ୍ଚା ପ୍ରସଙ୍ଗରେ ସାଂସଦ ଅପରାଜିତା ହିଂଜିଳିରୁ ନବୀନଙ୍କୁ ଲଢ଼ିବାକୁ କିଛି ଅସୁବିଧା ହେଲାକି, ସେଠି ଲୋକେ ତାଙ୍କୁ ଚାହୁଁ ନାହାନ୍ତିକି ବୋଲି ପ୍ରଶ୍ନ କରିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ଯଦି ପୁରୀ ସଂସଦୀୟ କ୍ଷେତ୍ରରୁ ଲଢିବେ ତାହା ଆମ ପାଇଁ ସୌଭାଗ୍ୟ ହେବ ବୋଲି କହିଛନ୍ତି ଅପରାଜିତା । ପୁରୀ ସଂସଦୀୟ କ୍ଷେତ୍ରରେ ଆଗକୁ ବିଜେପି-ବିଜେଡି ମଧ୍ୟରେ ହେବ ବଡ଼ ଲଢ଼େଇ । କାରଣ ଶ୍ରୀମନ୍ଦିର, ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ରାଜ୍ୟର ଅନେକ ମନ୍ଦିରର ବିକାଶ କାମକୁ ଗୁରୁତ୍ୱ ଦେଇଛି ବିଜେଡି ସରକାର । ସେପଟେ ଆଗକୁ ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ପ୍ରତିଷ୍ଠା ହେବାର କାର୍ଯ୍ୟକ୍ରମ ରହିଛି । ତେଣୁ କାଳେ ବିଜେପି ସେଥିରୁ ମାଇଲେଜ୍ ନେଇ ହିନ୍ଦୁ ଭୋଟ୍କୁ ଅଧିକମାତ୍ରାରେ ପ୍ରଭାବିତ କରିବ, ବିଜେଡିକୁ ସେଇ ଭୟ ଘାରିଛି । ତେଣୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ମଧ୍ୟ ଡିସେମ୍ବରରେ ସାରି ଏହାର ଜୋରଦାର ଶୁଭାରମ୍ଭ ପାଇଁ ଯୋଜନାରେ ଅଛନ୍ତି ରାଜ୍ୟ ସରକାର । ସେଇଥିପାଇଁ ଦୁଇ ଦଳ ଫୋକସରେ ଏବେ ପୁରୀ । ଷଷ୍ଠଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଥିବା ନବୀନ ନିଜ ଭାବମୂର୍ତ୍ତିର ସ୍ୱତନ୍ତ୍ର ଛାପ ଛାଡ଼ିବାକୁ ଯାଇ ପୁରୀ ଭଳି ଧାର୍ମିକ କ୍ଷେତ୍ରକୁ ନିଜ ନିର୍ବାଚନ ମଣ୍ଡଳୀ ଭାବେ ବାଛିବାକୁ ଯାଉଥିବା ଚର୍ଚ୍ଚା ଅଧିକ ହେଉଛି । ହେଲେ ଶେଷ ମୁହୂର୍ତ୍ତରେ ନବୀନ କି ସରପ୍ରାଇଜ୍ କାର୍ଡ ଖେଳୁଛନ୍ତି ତାକୁ ବି ଅପକ୍ଷା ରହିଛି ।