ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବିଶ୍ୱବ୍ରହ୍ମାଣ୍ଡ ନିୟନ୍ତା ଓ ରହସ୍ୟମୟ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ସଂସ୍କୃତି ଶତାବ୍ଦୀ ଶତାବ୍ଦୀ ଧରି ବିଶ୍ଵବାସୀଙ୍କ ନିକଟରେ ଓଡ଼ିଶାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କ ସୁବିଧା ପାଇଁ ଶ୍ରୀକ୍ଷେତ୍ରରେ ଚଳିତ ମାସ ୧୭ ତାରିଖରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ହେବ। ଏହି ଅବସରରେ ବ୍ରହ୍ମପୁର ମହାନଗର ନିଗମର ୪୨ ୱାର୍ଡ ରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ‘ଅର୍ପଣ ରଥ’ ପରିକ୍ରମା କରି ଗୁଆ ଓ ଚାଉଳ ସଂଗ୍ରହ ଲକ୍ଷ୍ୟ ରହିଛି । ଏହି ଅବସରରେ ଆଜି ଅର୍ପଣ ରଥ ନିଗମ କାର୍ଯ୍ୟାଳୟ ପରିସରରୁ ୭ ଗୋଟି ଅର୍ପଣ ରଥ ବାହାରିଥିଲା । ଏହି ରଥ ପ୍ରତିଦିନ ୭ ଗୋଟି ୱାର୍ଡ ପରିକ୍ରମା କରିବା ସହ ପ୍ରତ୍ୟେକ ପରିବାର ଗୋଟିଏ ଗୁଆ ଓ ମୁଠାଏ ଚାଉଳ ଦେଉଛନ୍ତି ।
ଆଜି ଏହି ରଥକୁ ନିଗମ ମେୟର ସଂଘମିତ୍ରା ଦଳାଇ, ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରାମ କୁମାର ପଣ୍ଡା , କମିଶନର ଜେ. ସୋନାଲ, ଓ ବରିଷ୍ଠ ଅଧିକାରୀଗଣ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ସହରର ସମସ୍ତ ୱାର୍ଡ ଭ୍ରମଣ କରି ଗୁଆ, ଚାଉଳ ସଂଗ୍ରହ କରିବ । ଏହାସହ ଏହି ରଥକୁ ପ୍ରତ୍ୟେକ ୱାର୍ଡ ଓ ୱାର୍ଡ ବାସିନ୍ଦା ସ୍ବାଗତ କରିବା ସହ ଘରୁ ଗୁଆ ଓ ଚାଉଳ ଦେଇଛନ୍ତି ।