ବିପ୍ଲବୀ ପରିକ୍ରମା ବ୍ୟୁରୋ :- ମହୁଆଙ୍କୁ ନେଇ ମହାଭାରତ। କ୍ୟାସ୍ ଫର କ୍ୱେରୀ ମାମଲାରେ ମହୁଆଙ୍କ ବିରୁଦ୍ଧରେ ଏଥିକ୍ସ କମିଟି କରିଥିବା ସୁପାରିଶକୁ ନେଇ ହଟଚମଟ ସୃଷ୍ଟି ହୋଇଛି। ମହୁଆଙ୍କୁ ଗୃହରୁ ବହିଷ୍କାର ସହ ତାଙ୍କ ସଦସ୍ୟତା ରଦ୍ଦ ନେଇ କଠୋର ଦଣ୍ଡର ସୁପାରିଶ କରିଛି ଏଥିକ୍ସ କମିଟି । ଅଧିବେଶନ ଆରମ୍ଭ ଦିନ ଏଥିକ୍ସ କମିଟିର ସୁପାରିଶ ଗୃହରେ ଉପସ୍ଥାପନ ହେବାର ଥିଲା। ହେଲେ କୌଣସି କାରଣରୁ ଏହା ଉପସ୍ଥାପିତ ହୋଇନଥିଲା। ଉପସ୍ଥାପନ ପୂର୍ବରୁ ମହୁଆଙ୍କ ବିରୁଦ୍ଧରେ ସୁପାରିଶକୁ ଭିତ୍ତି କରି ଏମିତି ଏକପାଖିଆ କୌଣସି ବଡ଼ ଦଣ୍ଡବିଧାନ ହେଲେ, ତାକୁ ବିରୋଧ କରିବ ବୋଲି କହିଦେଇଥିଲେ ବିରୋଧୀ। ଲୋକସଭାର ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ବାଚସ୍ପତିଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଗୃହରେ ବିସ୍ତୃତ ଆଲୋଚନା ଲାଗି ଦାବି କରିଥିଲେ । ଆଉ ଶୁକ୍ରବାର ଏଥିକ୍ସ କମିଟି ସୁପାରିଶ ଗୃହରେ ଉପସ୍ଥାପନ ପୂର୍ବରୁ ରାଜନୀତିକ ପାରା ବଢ଼ିଯାଇଥିଲା। ଟଙ୍କା ବଦଳରେ ପ୍ରଶ୍ନ ପଚାରିବା ମାମଲାରେ ମହୁଆଙ୍କ ବିରୁଦ୍ଧରେ ସୁପାରିଶ ଓ ସମ୍ଭାବ୍ୟ ବଡ଼ ଧରଣର ଆକ୍ସନକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ଅଭିଯୋଗକାରୀ ନିଶିକାନ୍ତ ଦୁବେ ରିପୋର୍ଟ ଉପସ୍ଥାପନ ପୂର୍ବରୁ କହିଥିଲେ ଯେ, ବାଚସ୍ପତି ନିଷ୍ପତ୍ତି ନେବେ। ତର୍କ ଓ ଆଲୋଚନା ବିନା ଏଥିକ୍ସ କମିଟି ଏଭଳି ନିଷ୍ପତ୍ତି ନେଇପାରିବନି ବୋଲି ଦାବି କରୁଥିବା ବିରୋଧୀଙ୍କ ଦାବି ଉପରେ ବାଚସ୍ପତି ନିଷ୍ପତ୍ତି ନେବେ। କେନ୍ଦ୍ର ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କହିଛନ୍ତି, କମିଟି ରିପୋର୍ଟ ଉପସ୍ଥାପନ ପରେ ବାଚସ୍ପତି ଏହାର ଅନୁଧ୍ୟାନ କରି ଆକ୍ସନ ନେବେ। ସୁପାରିଶ କଅଣ ହୋଇଛି, ଏହାକୁ ନେଇ ଚର୍ଚ୍ଚାର ସମୟ ସ୍ଥିର ଆଦି ସବୁ ବାଚସ୍ପତିଙ୍କ ଉପରେ ନିର୍ଭର କରେ।
ପୂର୍ବରୁ ମହୁଆ ବି କହିଥିଲେ, ଆଗ ରିପୋର୍ଟ ଉପସ୍ଥାପନ ହେଉ। ମା ଦୁର୍ଗା ଆସିସାରିଲେଣି। କାପୁରୁଷଙ୍କ ବିବେକ ମରିସାରିଛି। ଦ୍ରୌପଦୀଙ୍କ ବସ୍ତ୍ରହରଣ ଲାଗି ଯେଉଁ ଉଦ୍ୟମ ଆରମ୍ଭ ହୋଇଛି, ତାକୁ ନେଇ ମହାଭାରତ ସୃଷ୍ଟି ହେବ। କଂଗ୍ରେସ କହିଛି, ଆଗ ରିପୋର୍ଟ ଆସୁ। ଯଦି ମହୁଆଙ୍କୁ ବହିଷ୍କାର ନେଇ ସୁପାରିଶ ହୋଇଥିବ, ତେବେ ନିଶ୍ଚିତ ବିରୋଧ ହେବ। ମହୁଆଙ୍କ ବିରୁଦ୍ଧରେ ଏକପାଖିଆ ନିଷ୍ପତ୍ତି ମହୁଆଙ୍କୁ ସହାୟକ ହେବ। ୨୪ରେ ଉପ-ନିର୍ବାଚନ ହେଲେ ମହୁଆ ଅଧିକ ୫୦ହଜାର ଭୋଟ ପାଇବେ। ବିରୋଧୀଙ୍କ ସ୍ୱରକୁ ଚାପିବାକୁ ବିଜେପିର ଏହା ଆଉ ଏକ ଷଡ଼ଯନ୍ତ୍ର। ଦେଶର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ଛିଡ଼ା କରୁଥିବା ସଦସ୍ୟଙ୍କ ବିରୁଦ୍ଧରେ କଡ଼ା ଶାସ୍ତି ଜରୁରୀ ବୋଲି କହିଥିଲା ବିଜେପି। ନଚେତ ନିର୍ବାଚିଚ ପ୍ରତିନିଧିଙ୍କ ବିଶ୍ୱସନୀୟତା ପ୍ରତି ଅଙ୍ଗୁଳି ଉଠିବ। କମିଟି ଅଧ୍ୟକ୍ଷ ବିନୋଦ ସୋନକର ଓ ସଦସ୍ୟା ଅପରାଜିତା ଷଡ଼ଙ୍ଗୀ ଏହି ରିପୋର୍ଟ ଗୃହରେ ଉପସ୍ଥାପନ କରିବାକୁ ତାଲିକାଭୁକ୍ତ ହୋଇଥିଲା। ତେବେ ଉପସ୍ଥାପନ ଆଗରୁ ରିପୋର୍ଟ କେମିତି ଲିକ୍ ହେଲା କହି ବିରୋଧୀ ହଟ୍ଟଗୋଳ କରିବାରୁ ଗୃହ କାର୍ଯ୍ୟ ବାରମ୍ୱାର ବାଧାପ୍ରାପ୍ତ ହୋଇଥିଲା। ତେବେ ଅପେକ୍ଷା ରହିବ ଆଗକୁ କାର୍ଯ୍ୟାନୁଷ୍ଠାନର ପ୍ରଭାବ କଣ ପଡୁଛି ।