ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ବିଧାନସଭାରେ ୧୨,୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତ ଆର୍ଥିକ ବର୍ଷ (୨୦୨୪-୨୫) ଲାଗି ରାଜ୍ୟ ସରକାର ମୂଳ ବଜେଟ୍ରେ୨.୬୫ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ। ତେବେ ଅସମ୍ପୂର୍ଣ୍ଣ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା, ନୂଆ ଯୋଜନା ଲାଗି ପାଣ୍ଠି ବ୍ୟବସ୍ଥା ଭଳି ବିଷୟ ବିଚାରକୁ ନେଇ ଅତିରିକ୍ତ ବଜେଟ୍ ଉପସ୍ଥାପନ କରାଯାଇଛି। ଏଥିରେ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ପାଇଁ ୧୨୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସେହିଭଳି ଭରତପୁର ଥାନା ଅଘଟଣ ପରେ କୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ପୁଲିସ ଷ୍ଟେସନ ଓ ଫାଣ୍ଡିରେ ସିସିଟିଭି ଲଗାଇବା ପାଇଁ ୫୧ କୋଟି ଟଙ୍କା ବରାଦ କରାଯାଇଛି। ନିର୍ବାଚନ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସୁଭଦ୍ରା ଯୋଜନା ଲାଗି ଅତିରିକ୍ତ ବଜେଟ୍ରେ ୧୧୯୬ କୋଟି ଟଙ୍କା ରଖାଯାଇଛି।
ବଜେଟ୍ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ବିଦ୍ୟାଳୟ ଓ ଗଣ ଶିକ୍ଷା, ଗୃହନିର୍ମାଣ ଓ ନଗର ଉନ୍ନୟନ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ଅର୍ଥ ବିଭାଗ ଲାଗି ୧୭୫୦ କୋଟି, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୧୫୩୦ କୋଟି, ମହିଳା ଓ ଶିଶୁ ବିକାଶକୁ ୧୨୩୦ କୋଟି, ବିଦ୍ୟାଳୟ ଓ ଗଣ ଶିକ୍ଷାକୁ ୧୧୧୪ କୋଟି, ଗୃହନିର୍ମାଣ ଓ ନଗର ଉନ୍ନୟନ ପାଇଁ ୧୦୦୦ କୋଟି ଟଙ୍କାର ଅତିରିକ୍ତ ପାଣ୍ଠି ବ୍ୟବସ୍ଥା କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ୨୦୩ କୋଟି ଟଙ୍କା ଦିଆଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର ଲାଗି ଅତିରିକ୍ତ ବଜେଟ୍ରେ ବିଶେଷ ଗୁରୁତ୍ବ ଦିଆଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ୨୬ କୋଟି ଟଙ୍କା ଓ ରତ୍ନଭଣ୍ଡାର ପାଇଁ ୫ କୋଟି ଟଙ୍କା ଦିଆଯାଇଛି। ଶ୍ରଦ୍ଧାଳୁମାନଙ୍କୁ ସାଙ୍ଗରେ ନେଇ ରଥ ଚଢ଼ିବା କଟକଣା ପରିପ୍ରେକ୍ଷୀରେ ଦଇତାପତିମାନଙ୍କୁ କ୍ଷତିପୂରଣ ବାବଦରେ ୧୨ କୋଟି ଟଙ୍କା ଦେବାକୁ ବଜେଟ୍ରେ ବ୍ୟବସ୍ଥା କରାଯାଇଛି। କୋଠ ଭୋଗ ଦାନ ଯୋଜନା ପାଇଁ୧୫ କୋଟି ଟଙ୍କା, ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କୁ ପାରିଶ୍ରମିକ ପାଇଁ ୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ମହାପ୍ରଭୁ ଶ୍ରୀ ଜଗନ୍ନଦାଥ ମନ୍ଦିରକୁ ଅନୁଦାନ ବାବଦରେ ୩୧ କୋଟି ଟଙ୍କା ଦିଆଯାଇଛି। ଏହିପରି ବିଭିନ୍ନ ବିଭାଗ ପାଇଁ ଭିନ୍ନ ଭିନ୍ନ ଉପାୟରେ ଟଙ୍କା ଦିଆଯାଇଥିବା ଗୃହରେ ଉପସ୍ଥାପନ କରାଯାଇଥିଲା l