ଗଜପତି ( ବିପ୍ଲବୀ ପରିକ୍ରମା ):- ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ ତମ ପୂଣ୍ୟ ଶ୍ରାଦ୍ଧ ଦିବସ ପାରଳାଖେମୁଣ୍ଡି ଠାରେ ପାଳିତ ହୋଇଯାଇଛି। ଶହ ଶହ ବିଜୁ ପ୍ରେମୀ ଏଥିରେ ସାମିଲ ହୋଇ କଲେଜ ଛକ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଏହି ଅବସରରେ ବିଜୁ ବାବୁଙ୍କୁ ସ୍ମରଣ ଉଦ୍ଦେଶ୍ୟରେ ଆୟୋଜିତ ଏକ ଆଲୋଚନା ଚକ୍ରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ ସାମିଲ ହୋଇ ନବୀନ ଓଡ଼ିଶା ଗଠନ ପାଇଁ ଶପଥ ନେଇଛନ୍ତି।
ଗଜପତି ଜିଲ୍ଲା ପ୍ରତି ବିଜୁ ପଟ୍ଟନାୟକଙ୍କ ଅହେତୁକ ଅନୁକମ୍ପା ସମ୍ପର୍କରେ ଉପସ୍ଥିତ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି। ପାରଳା ମାଟି ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପରିବାର ସହ ବିଜୁ ବାବୁଙ୍କ ପରିବାରଙ୍କ ସମ୍ପର୍କକୁ ସ୍ମରଣ କରିଛନ୍ତି। ପ୍ରତିଦାନ ସ୍ବରୂପ ଜିଲ୍ଲା ଗଠନରେ ଜିଲ୍ଲାକୁ ଗଜପତି ନାମକରଣ କରି ବିଜୁ ପଟ୍ଟନାୟକ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କୁ ଉତ୍ସର୍ଗ କରି ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଯାଇଛନ୍ତି। ଯାହାକୁ ଯୁଗ ଯୁଗ ଧରି ସ୍ମରଣ କରିବ ପାରଳା ମାଟି। ତାଙ୍କ ସୁପୁତ୍ର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଜିଲ୍ଲା ପ୍ରତି ଅନୁରୂପ ମନୋଭାବ ପୋଷଣ କରି ଆସୁଛନ୍ତି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହି ସୁଯୋଗରେ ବିଜୁ ପରିବାରକୁ ବିପୁଳ ସମର୍ଥନ କରିବାକୁ ଆହ୍ବାନ ଦେଇଛନ୍ତି ଉପସ୍ଥିତ ବୁଦ୍ଧିଜୀବୀ।