ବିପ୍ଲବୀ ପରିକ୍ରମା ଡିଜିଟାଲ :- ରାଜ୍ୟରେ ଜାନୁଆରୀରୁ କଲବଲ କଲାଣି ଖରା । ମାଘ ମାସରେ ଜାଡ଼ ବଦଳରେ ଉପରମୁହାଁ ହେଲାଣି ପାରଦ । ଉପକୂଳରୁ ଆଭ୍ୟନ୍ତରୀଣ, ସବୁଠି ଗରମ ଅନୁଭୂତ ହେଲାଣି । ଦିନ ସମୟରେ ବାୟୁମଣ୍ଡଳ ଶୁଷ୍କ ରହୁଥିବାବେଳେ ରାତିରେ ସମୁଦ୍ରରୁ ବାୟୁ ପ୍ରଭାବିତ ହେଉଛି । ଫଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ସେପଟେ ଘନ କୁହୁଡ଼ି ଜନ ଜୀବନ ଅସ୍ତବ୍ୟସ୍ତ କରୁଛି । ଆଗାମୀ ୩ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ିକୁ ନେଇ ଅଧିକାଂଶ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୪ ଘଣ୍ଟା ପାଇଁ ୧୮ ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଅଧିକାଂଶ ଜିଲ୍ଲାରେ ଜିରୋ ଭିଜିବିଲିଟି ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ଦେଖାଯିବନି ରାସ୍ତା । ରାତି ୨ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡ଼ିର ପ୍ରଭାବ ରହିବ । ଘାଟି ରାସ୍ତା ସହ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚଳାଚଳ ବନ୍ଦ ରଖିବା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡ଼ି ନେଇ ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ସୁନ୍ଦରଗଡ, କେନ୍ଦୁଝର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି ଏବଂ କୋରାପୁଟକୁ ସତର୍କତା ଜାରି କରାଯାଇଛି ।
ସେହିଭଳି ୨୬ ତାରିଖରେ ଘନ କୁହୁଡି ନେଇ କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୭ ତାରିଖରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଜିଲ୍ଲାଗୁଡ଼ିକ ହେଉଛି, କଲାହାଣ୍ଡି, କନ୍ଧମାଳ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ସୁନ୍ଦରଗଡ଼ । ଏହି ସବୁ ଜିଲ୍ଲାରେ ୫୦ ମିଟରରୁ କମ୍ ଦୃଶ୍ୟମାନ କ୍ଷମତା ରହିବ ।