୩୭ଟି ବଦଳି ନିର୍ଦ୍ଦେଶ ହୋଇନି କାର୍ଯ୍ୟକାରୀ: ମାନୁନାହାନ୍ତି ଅଫିସର, କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଲେ ସରକାର

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ସମସ୍ତ ବିଭାଗୀୟ ସଚିବ, ବିଭାଗୀୟ ମୁଖ୍ୟ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ବଦଳି ନିର୍ଦ୍ଦେଶ ଆଧାରରେ ଓଏଏସ୍ ଅଫିସରମାନଙ୍କୁ ରିଲିଭ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଫିସରମାନଙ୍କ ବଦଳି ହେଉଛି ସତ କିନ୍ତୁ ସେହି ବଦଳି ନିର୍ଦ୍ଦେଶକୁ ଅଫିସରମାନେ ମାନୁନାହାନ୍ତି । କେଉଁଠି ସମ୍ପୃକ୍ତ ଅଫିସରଙ୍କୁ ରିଲିଭ୍ କରାଯାଉନି ତ କେଉଁଠି ସେିହ ଅଫିସରମାନେ ନିଜ ପଦ ରଖିବା ପାଇଁ ନାନାଦି କସରତ କରୁଛନ୍ତି । ଯେଉଁଥିପାଇଁ ଗତ ୨୦୨୪ ଜୁଲାଇ ୨ତାରିଖରୁ ଚଳିତମାସ ୨୪ତାରିଖ ମଧ୍ୟରେ ମୋଟ ୩୭ଟି ବଦଳି ନିର୍ଦ୍ଦେଶ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇପାରିନି । ଏଭଳି ପ୍ରଶାସନିକ ସଙ୍କଟକୁ ଦେଖି ମୋହନ ମାଝୀଙ୍କ ସରକାର କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ଆଉ ବଦଳି ହୋଇଥିବା ଅଫିସରମାନଙ୍କୁ ଚଳିତମାସ ୩୧ତାରିଖ ସୁଦ୍ଧା ରିଲିଭ୍ ନକଲେ ତାକୁ ସରକାରଙ୍କ ନିର୍ଦ୍ଦେଶର ଅବମାନନା ଭାବେ ବିବେଚନା କରାଯାଇ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ସମସ୍ତ ବିଭାଗୀୟ ସଚିବ, ବିଭାଗୀୟ ମୁଖ୍ୟ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ବଦଳି ନିର୍ଦ୍ଦେଶ ଆଧାରରେ ଓଏଏସ୍ ଅଫିସରମାନଙ୍କୁ ରିଲିଭ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ବାରମ୍ବାର ତାଗିଦ୍ ସତ୍ତ୍ୱେ ବରିଷ୍ଠ ଓଏଏସ୍ ଅଫିସରମାନଙ୍କ ବଦଳିକୁ ସେମାନଙ୍କର ଉପରିସ୍ଥ କର୍ତ୍ତୃପକ୍ଷମାନେ କାର୍ଯ୍ୟକାରୀ କରୁନଥିବା ଦଖେିବାକୁ ମିଳିଛି । ବଦଳି ହୋଇଥିବା ଅଧିକାଂଶ ଅଫିସର ନିଜର ବର୍ତ୍ତମାନ ସ୍ଥାନରୁ ରିଲିଭ୍ ହୋଇନଥିବା ଅବା ନୂଆ ଦାୟିତ୍ୱ ଗ୍ରହଣ କରିନଥିବା ଦେଖିବାକୁ ମିଳିଛି ।

ଏହି ବଦଳି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାନଯିବା ଦ୍ୱାରା ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାର କାର୍ଯ୍ୟକାରିତା ଓ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଲୋକଙ୍କୁ ସେବା ପ୍ରଦାନ କ୍ଷେତ୍ରରେ ଗୁରୁତର ପ୍ରଶାସନିକ ସମସ୍ୟା ସୃଷ୍ଟି ହୋଇଛି । ଏହାବ୍ୟତୀତ ବଦଳି ନିର୍ଦ୍ଦେଶ ସତ୍ତ୍ୱେ ଅଫିସରମାନେ ଦୀର୍ଘଦିନ ଧରି ରିଲିଭ୍ ହେଉନଥିବାରୁ ବଦଳିର ପ୍ରକୃତ ଉଦ୍ଦେଶ୍ୟ ପୂରଣ ହୋଇପାରୁନି । ଏହା ଖୋଲାଖୋଲି ସରକାରୀ ନିର୍ଦ୍ଦେଶର ଅବମାନନା, ଯାହାକି ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଆବଶ୍ୟକ କରୁଛି ବୋଲି ଶ୍ରୀ କୁମାର କହିଛନ୍ତି ।ସେ ଜୁଲାଇ ୨ରୁ ଜାନୁୟାରୀ ୨୪ତାରିଖ ମଧ୍ୟରେ ରାଜ୍ୟ ସରକାର ଜାରି କରିଥିବା ୩୭ଟି ବଦଳି ବିଜ୍ଞପ୍ତିର ବିସ୍ତୃତ ତାଲିକା ଦେଇ ବଦଳି ହୋଇଥିବା ଅଫିସରମାନଙ୍କୁ ଜାନୁୟାରୀ ୩୧ତାରିଖ ଅପରାହ୍ନ ସୁଦ୍ଧା ରିଲିଭ୍ କରିବା ନିମନ୍ତେ ସେମାନଙ୍କର କଣ୍ଟ୍ରୋଲିଂ ଅଥରିଟିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ସେମାନେ ୩୧ତାରିଖ ସୁଦ୍ଧା ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ ନକରିବେ ତା’ହେଲେ ବଦଳି ହୋଇଥିବା ଅଫିସରମାନେ ଫେବୃୟାରୀ ୧ତାରିଖ ମଧ୍ୟାହ୍ନ ସୁଦ୍ଧା ରିଲିଭ୍ ହେଲେ ବୋଲି ଧରିନିଆଯିବ । ଆଉ ରିଲିଭ୍ ହୋଇଥିବା ଅଫିସରମାନେ ରିଲିଭ୍ ହେବାର ଦୁଇଦିନ ମଧ୍ୟରେ ନିଜର ନୂଆ ଦାୟିତ୍ୱ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶକୁ ପାଳନ ନକଲେ ସମ୍ପୃକ୍ତ ଅଫିସରମାନଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଶ୍ରୀ କୁମାର ଚେତାଇ ଦେଇଛନ୍ତି ।

ସେ ୨୦୨୪ ଜୁଲାଇ ମାସର ୮ଟି ବଦଳି ନିର୍ଦ୍ଦେଶ, ଅଗଷ୍ଟ ମାସର ୬ଟି ବଦଳି ନିର୍ଦ୍ଦେଶ, ସେପ୍ଟେମ୍ବର ମାସର ୩ଟି, ଅକ୍ଟୋବର ମାସର ୨ଟି, ନଭେମ୍ବର ମାସର ୫ଟି, ଡିସେମ୍ବର ମାସର ୪ଟି ଓ ଚଳିତ ଜାନୁୟାରୀ ମାସର ୪ଟି ବଦଳି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ତାଗିଦ୍ କରିଛନ୍ତି ।

ସୂଚନାଯୋଗ୍ୟ, ମୋହନ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଫିସରମାନଙ୍କ ଦାୟିତ୍ୱ ଓ ସ୍ଥାନ ଅଦଳବଦଳ କରୁଥିଲେ ମଧ୍ୟ ସେମାନେ ନିଜର ଉପରିସ୍ଥ କର୍ତ୍ତୃପକ୍ଷ(ଆଇଏଏସ୍ ଅଫିସର)ମାନଙ୍କ ସହଯୋଗରେ ଦୀର୍ଘଦିନ ଧରି ରିଲିଭ୍ ହେଉନଥିବା ଓ ବଦଳି ନିର୍ଦ୍ଦେଶକୁ ବାତିଲ ପାଇଁ ପ୍ରୟାସ କରୁଥିବା ଚର୍ଚ୍ଚା ହେଉଛି

LEAVE A REPLY

Please enter your comment!
Please enter your name here