ଝାଡ଼ାବାନ୍ତିରେ ଗଲାଣି ୪ ଜଣଙ୍କ ଜୀବନ

0

ଭଞ୍ଜନଗର ( ବିପ୍ଲବୀ ପରିକ୍ରମା ):-– ଚିନ୍ତା ବଢ଼ାଇଛି, ଗାଁରେ ଲାଗିରହିଥିବା ଝାଡ଼ାବାନ୍ତି ପରିସ୍ଥିତି । ପ୍ରଶାସନିକ ଅଧିକାରୀ ଏବଂ ଡାକ୍ତରୀ ଟିମ୍ କୁ ନେଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି, ସ୍ଥାନୀୟ ବିଧାୟକ । ଏହା ଭିତରେ ଝାଡ଼ାବାନ୍ତିରେ ଗଲାଣି ୪ ଜଣଙ୍କ ଜୀବନ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା କରିଛନ୍ତି, ବିଧାୟକ । ଏ ହେଉଛି, ଗଂଜାମ ଜିଲ୍ଲା ଭଂଜନଗର ବ୍ଳକ ଅନ୍ତର୍ଗତ ଗୁଣ୍ଡୁରିବାଡି ଗାଁର ପରିସ୍ଥିତି । ପ୍ରଥମେ ଝାଡ଼ାବାନ୍ତି ଆରମ୍ଭ ହେବାପରେ, ଆକ୍ରାନ୍ତଙ୍କୁ ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆଉକିଛି ଗୁରୁତରଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଅଧିକାଂଶ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ, ଆଉକିଛି ଏବେବି ଭଂଜନଗର ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି । ଏହା ବ୍ୟତିତ ଦୈନିକ କିଛିକିଛି ଲୋକ ଆକ୍ରାନ୍ତ ହୋଇ, ନିୟମିତ ମେଡିକାଲରେ ଭର୍ତ୍ତି ହେଉଛନ୍ତି । କୁହାଯାଉଛି ଗାଁର ପାନୀୟଜଳ ପ୍ରକଳ୍ପରୁ ଯୋଗାଣ ହେଉଥିବା ପାଣି ପିଇ, ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସେହି କାରଣରୁ ଏବେ ସଂପୃକ୍ତ ଜଳ ଯୋଗାଣ ବ୍ୟବସ୍ଥାକୁ ବନ୍ଦ ରଖାଯାଇଛି । ରହିଥିବା କିଛି ନଳକୂଅ ପାଣି ପିଇବା ଉପଯୋଗୀ ହେଉନାହିଁ । ଏ‌ହାକୁ ଲକ୍ଷ୍ୟରଖି ପ୍ରଶାସନ ପକ୍ଷରୁ ଟ୍ୟାଙ୍କର ଯୋଗ ପିଇବା ପାଣି ବ୍ୟବସ୍ଥା କରାଯାଇଥିବା କୁହାଯାଇଛି ।

ଏହା ବ୍ୟତିତ ଗାଁର କିଛି ସ୍ଥାନରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ରହିଛି । ଯାହା ଏଭଳି ରୋଗର ଆଉଏକ କାରଣ ପାଲଟିଛି । ଗାଁର ଅଙ୍ଗନବାଡି କର୍ମୀ, ଆଶାକର୍ମୀ ଓ ଏଏନ୍ କର୍ମଚାରୀ ମାନେ ଘରକୁ ଘର ବୁଲି, ମେଡିସିନ ଦେବାସହ, ଲୋକଙ୍କୁ ସଚେତନ କରାଉଛନ୍ତି । ସବୁପ୍ରକାର ପ୍ରତିକାର ବ୍ୟବସ୍ଥା ଓ ସତର୍କତା ପରେ ବି, ପ୍ରତିଦିନ କିଛିକିଛି ଲୋକ ଝାଡ଼ାବାନ୍ତି ରେ ଆକ୍ରାନ୍ତ ହେଉଛନ୍ତି । ଏପଟେ ପ୍ରଶାସନ ପକ୍ଷରୁ କୁହାଯାଉଛି ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।

 

LEAVE A REPLY

Please enter your comment!
Please enter your name here