୪୦ ବିମାନବନ୍ଦରରେ ବୋମା ଆତଙ୍କ
ବିପ୍ଲବୀ ପରିକ୍ରମା ବ୍ୟୁରୋ :- ପାଟନା, କୋଏମ୍ବାଟୁର ଏବଂ ଜୟପୁର ସମେତ ଦେଶର ଅନେକ ବିମାନବନ୍ଦରରେ ବୋମା ଥିବା ନେଇ ଆଜି ଧମକପୂର୍ଣ୍ଣ ଇମେଲ୍ ଆସିଥିଲା। ଏହା ଫଳରେ ବିଭିନ୍ନ ବିମାନବନ୍ଦରରେ ବିମାନ ଉଡ଼ାଣ ବିଳମ୍ବିତ ହୋଇଛି ଏବଂ ସୁରକ୍ଷା କଡ଼ାକଡ଼ି କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ କୌଣସି ଅଜଣା ବ୍ୟକ୍ତି ଆଜି ଅପରାହ୍ନରେ ଦେଶବ୍ୟାପୀ ପ୍ରାୟ ୪୦ଟି ବିମାନବନ୍ଦରରେ ବୋମା ଥିବା ନେଇ ଧମକପୂର୍ଣ୍ଣ ଇମେଲ୍ ପଠାଇଥିଲା। ଆଜି ସକାଳେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦୁବାଇ ଉଡ଼ାଣ କରିବାକୁ ଥିବା ଏକ ବିମାନ ଏହି କାରଣ ପାଇଁ ବିଳମ୍ବିତ ହୋଇଥିଲା। କୋଏମ୍ବାଟୁର ଏବଂ ଜୟପୁର ବିମାନବନ୍ଦରରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା। କୋଏମ୍ବାଟୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ବୋମା ଖଞ୍ଚାଯାଇଛି ଏବଂ ଯେକୌଣସି ସମୟରେ ଏହା ବିସ୍ଫୋରଣ ହୋଇପାରେ ଧମକପୂର୍ଣ୍ଣ ଇମେଲ୍ ଆସିଥିଲା।
ଏହାପରେ ସ୍ନାଇଫର ଡଗ୍ ସ୍କ୍ବାଡ୍ ସହ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ବିମାନବନ୍ଦର ପରିସରରେ ସର୍ଚ୍ଚ ଅପରେସନ୍ କରିଥିଲେ। ତେବେ ଏହା ମିଥ୍ୟା ବୋଲି ଜଣାପଡ଼ିଥିଲା।ସେହିପରି ପାଟନା ବିମାନବନ୍ଦରକୁ ମଧ୍ୟ ଧମକପୂର୍ଣ୍ଣ ଇମେଲ୍ ଆସିଥିଲା। ଭଦୋଦରା ବିମାନବନ୍ଦରରେ ବୋମା ଥିବା ନେଇ ଧମକପୂର୍ଣ୍ଣ ଇମେଲ୍ ଆସିବାପରେ ସେଠାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଏହି ଧମକପୂର୍ଣ୍ଣ ଇମେଲ୍ ପାଇଁ ୪୦ଟି ବିମାନବନ୍ଦରରେ ସୁରକ୍ଷା କଡ଼ାକଡ଼ି କରାଯାଇଥିବା ବେଳେ ତୁହାକୁ ତୁହା ଏଭଳି ଧମକ ବିମାନ ସେବାରେ ଜଟିଳତା ସୃଷ୍ଟି କରିଛି।