ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ୩୮ତମ ହାଇଲେଭଲ କ୍ଲିଅରାନ୍ସ ଅଥରିଟି ବୈଠକ । ବୈଠକରେ ରିଫାଇନାରୀ ଓ ପେଟ୍ରୋକେମିକାଲ, ଗ୍ରୀନ ଏନର୍ଜି ଉପକରଣ, ଷ୍ଟିଲ ଆଣ୍ଡ କେମିକାଲସ, ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଆସିଥିବା ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ରାଜ୍ୟରେ ୪୪ ହଜାର ୭୯୩ କୋଟି ୩ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଅନୁମୋଦନ ମିଳିଛି । ଏହା ଦ୍ୱାରା ଆଉ ୨୩୦୦୫ ଜଣଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ପୁଞ୍ଜିନିବେଶ ରାଜ୍ୟର ୩ଟି ଜିଲ୍ଲାରେ ଶିଳ୍ପ ପ୍ରକଳ୍ପରେ ହେବ । ଯାଜପୁର ଓ କଟକ ଜିଲ୍ଲାରେ ୨ଟି ଲେଖାଏଁ ଓ ଢେଙ୍କାନାଳରେ ଗୋଟିଏ ଶିଳ୍ପ ପ୍ରକଳ୍ପକୁ ମିଶାଇ ମୋଟ ୫ଟି ଶିଳ୍ପ ପ୍ରକଳ୍ପରେ ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଯାହା ଓଡ଼ିଶାରେ ଶିଳ୍ପ ଓ ଆର୍ଥିକ ଭିତ୍ତିଭୂମିକୁ ଗତିଶୀଳ କରାଇବ । ଉତ୍କର୍ଷ ଓଡ଼ିଶା – ୨୦୨୫ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଆୟୋଜିତ ରୋଡ ଶୋ’ବେଳେ ଏହି ପ୍ରସ୍ତାବ ଆସିଥିଲା । ହାଇଲେଭଲ କ୍ଲିଅରାନ୍ସ ଅଥରିଟି ବୈଠକରେ ୫ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ଉତ୍କର୍ଷ ଓଡ଼ିଶା ୨୦୨୫ ପୂର୍ବରୁ ଚଳିତବର୍ଷର ପ୍ରଥମ ବୈଠକର ସଫଳତା ପ୍ରତିପାଦିତ କରୁଛି ଯେ, ଓଡ଼ିଶାର ଶିଳ୍ପାୟନ ପ୍ରକ୍ରିୟା ଦ୍ରୁତ ଅଗ୍ରଗତି କରୁଛି । ରାଜ୍ୟର ଆର୍ଥିକ ଓ ସାମାଜିକ ବିକାଶକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଓଡ଼ିଶାକୁ ଶିଳ୍ପପତିଙ୍କ ପ୍ରମୁଖ ଆକର୍ଷଣରେ ରୂପାନ୍ତରିତ କରିବା ଆମ ଲକ୍ଷ୍ୟ । ଦିଲ୍ଲୀ, ମୁମ୍ବାଇ, ସିଙ୍ଗାପୁରେ ରୋଡ ସୋ’ ପରେ ଏବେ ବହୁ ଜାତୀୟ ଓ ଆନ୍ତର୍ଜାତିକସ୍ତରର ପୁଞ୍ଜିନିବେଶକାରୀ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ମଞ୍ଜୁରୀ ପାଇଥିବା ପ୍ରକଳ୍ପଗୁଡିକ ମଧ୍ୟରେ ଅଛି ଯାଜପୁର ଜିଲ୍ଲାରେ ପ୍ରସ୍ତାବିତ ଇଣ୍ଡିଆନ ଷ୍ଟ୍ରାଟେଜିକ ପେଟ୍ରୋଲିୟମ ଲିମିଟେଡର ୪ ନିୟୁତ ମେଟ୍ରିକ ଟନ କ୍ଷମତା ସମ୍ପନ୍ନ ଅଶୋଧିତ ତୈଳ ଷ୍ଟୋରେଜ ପ୍ରକଳ୍ପ l ସେହିଭଳି ଢେଙ୍କାନାଳ ଜିଲ୍ଲାରେ ଆଇନକ୍ସ ସୋଲାର ପକ୍ଷରୁ ୪ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରି ଏକ ସୋଲାର ମୋଡ୍ୟୁଲ ଓ ଫଟୋଭେଲଟିକ ସେଲ କାରଖାନା ପ୍ରତିଷ୍ଠା କରିବ । ଆକମେ କ୍ଲିନଟେକ ସଲ୍ୟୁସନ ପକ୍ଷରୁ କଟକରେ ୪ ହଜାର ୫୦ କୋଟି ୩ ଲକ୍ଷ ଟଙ୍କା ବ୍ୟୟରେ ଏକ ପ୍ରୋଟିନ ମ୍ୟାନୁଫାକ୍ଚରିଂ ପ୍ଲାଣ୍ଟ କାରଖାନା ପ୍ରତିଷ୍ଠା କରିବ ।
ଏହି ବୈଠକରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ, ଇପିକଲ ଏମଡି ଭୁପିନ୍ଦର ସିଂ ପୁନିଆ ପ୍ରମୁଖ ଉପସ୍ଥିତ ଥିଲେ ।