ଜରୁରୀକାଳୀନ ପରିସ୍ଥିତିକୁ ୫୦ ବର୍ଷ

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଭାରତରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବାର ୫୦ ବର୍ଷ ପୂର୍ତ୍ତି ହୋଇଛି । ରାଜ୍ୟ ସରକାରଙ୍କର ପକ୍ଷରୁ ରେଳ ଅଡିଟୋରିଅମରେ ଆୟୋଜିତ ‘ସମ୍ବିଧାନ ହତ୍ୟା ଦିବସ’ । କାର୍ଯ୍ୟକ୍ରମରେ ସାମିଲ ହୋଇ ୧୦୮ ଜଣ ଲୋକତନ୍ତ୍ର ସେନାନୀଙ୍କୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜରୁରୀ କାଳୀନ ପରିସ୍ଥିତି ସମୟ ସ୍ଵାଧୀନ ଭାରତର ଇତିହାସର ଏକ କଳଙ୍କିତ ଅଧ୍ୟାୟ ଓ ନୂଆ ପିଢିଙ୍କ ପାଖରେ ଏହି କାଳିମାମୟ ଅଧ୍ୟାୟର ସ୍ମୃତିକୁ ପହଞ୍ଚାଇବା ଆମର ଉଦ୍ୟମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସ୍ୱାଧୀନତା ସଂଗ୍ରାମୀଙ୍କ ପରି ଲୋକତନ୍ତ୍ର ସେନାନୀଙ୍କୁ ମଧ୍ୟ ଉପଯୁକ୍ତ ସମ୍ମାନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଆନ୍ଦୋଳନ କରି ଗିରଫ ହୋଇଥିବା ସେନାନୀଙ୍କୁ ଚିହ୍ନଟ କରୁଛନ୍ତି ମୋହନ ସରକାର । ଜରୁରୀକାଳୀନ ପରିସ୍ଥିତି ସମୟରେ MISA ବା ମିସା ଆଇନକୁ ବ୍ୟବହାର କରି ବିନା ବିଚାରରେ ମାସ ମାସ ଧରି ଲୋକଙ୍କୁ ଜେଲରେ ରଖାଯାଉଥିଲା । ସେମାନଙ୍କ ମଧ୍ୟରୁ ୧୦୮ ଜଣ ଲୋକତନ୍ତ୍ର ସେନାନୀଙ୍କୁ ଆଜି ସମ୍ମାନିତ କରିଛନ୍ତି ସରକାର ।

ବିଜେପି ସରକାର ଆସିବା ପରେ ଲୋକତନ୍ତ୍ର ସେନାନୀଙ୍କ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନେବା ସହ ମାସକୁ ୨୦ ହଜାର ଟଙ୍କା ପେନସନ ଓ ଚିକିତ୍ସା ସୁବିଧା ଯୋଗାଉଛନ୍ତି ସରକାର । ଜରୁରୀକାଳୀନ ପରିସ୍ଥିତିରେ ଗିରଫ ସେନାନୀ ଜେଲ ଜୀବନ, ପାରିପାର୍ଶ୍ବିକ ପରିସ୍ଥିତି ବାବଦରେ ବର୍ଣ୍ଣନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, “ଆଜି ଆମ ସହିତ ୧୦୮ ଜଣ ଲୋକତନ୍ତ୍ର ସେନାନୀ ଅଛନ୍ତି । ଆମ ସରକାର ଆସିବା ପରେ ଲୋକତନ୍ତ୍ର ସେନାନୀ ମାନଙ୍କ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ । ସେମାନଙ୍କୁ ମାସକୁ ୨୦ ହଜାର ଟଙ୍କା ପେନସନ ଓ ଚିକିତ୍ସା ସୁବିଧା ମଧ୍ୟ ମିଳୁଛି । ବର୍ତ୍ତମାନ ସୁଦ୍ଧା ୫୬ ଜଣଙ୍କର ପେନସନ ପାଇଁ ଅନୁମୋଦନ ମିଳି ସାରିଛି । ଅନ୍ୟ ଲୋକତନ୍ତ୍ର ସେନାନୀ ମାନଙ୍କ ପାଇଁ ପ୍ରକ୍ରିୟା ଜାରି ରହିଛି । ଖୁବଶୀଘ୍ର ସେମାନେ ମଧ୍ୟ ପେନସନ ପାଇବେ । ସ୍ୱାଧୀନତା ସଂଗ୍ରାମୀଙ୍କ ପରି ଲୋକତନ୍ତ୍ର ସେନାନୀ ମାନଙ୍କୁ ମଧ୍ୟ ଉପଯୁକ୍ତ ସମ୍ମାନ ଦିଆଯିବ । ଲୋକତନ୍ତ୍ର ସେନାନୀ ଶୋଭାଯାତ୍ରା ରଥ ଓ ସମ୍ବିଧାନ ହତ୍ୟା ଦିବସ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟନ ହୋଇଛି । କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ଏକାମ୍ର ବିଧାୟକ ବାବୁ ସିଂ, ଲୋକତନ୍ତ୍ର ସେନାନୀ ବିମ୍ବାଧର କୁଅଁର, କୃଷ୍ଣଚନ୍ଦ୍ର ଜଗଦେବ ଓ କାହ୍ନୁଚରଣ ବେହେରା ପ୍ରମୁଖ ମଂଚାସୀନ ଥିଲେ । ବରିଷ୍ଠ ନେତା ଅମର ପ୍ରସାଦ ଶତପଥି ଧନ୍ୟବାଦ ଅର୍ପଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here