(ବିପ୍ଲବୀ ପରିକ୍ରମା ବ୍ୟୁରୋ);ପ୍ରଥମ ଥର ରାଜ୍ୟ ସରକାରଙ୍କ ଉଦ୍ୟମରେ ବାଘ ଗଣନା ଆରମ୍ଭ ହେବ । ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ରାଜ୍ୟରେ ବାଘ ଗଣନା କରାଯିବ । ଏହି ଗଣନା ସରିବା ପରେ ଆସନ୍ତାବର୍ଷ ଜାନୁଆରୀ ମାସ ୩୧ ତାରିଖ ସୁଦ୍ଧା ରିପୋର୍ଟ ଆସିବ । ରାଜ୍ୟରେ ୨୦ଟି ବାଘ ରହିଥିବା କେନ୍ଦ୍ର ସରକାର ରିପୋର୍ଟ ଦେଇଥିବା ବେଳେ ୨୫ଟି ବାଘ ରହିଥିବା ନେଇ ରାଜ୍ୟ ସରକାର ଦାବି କରିଛନ୍ତି ।ତେବେ ଆସନ୍ତା ଏପ୍ରିଲରୁ ରାଜ୍ୟରେ ହାତୀ ଗଣନା ମଧ୍ୟ ଆରମ୍ଭ ହେବ ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ) ସୂଚନା ଦେଇଛନ୍ତି । ରାଜ୍ୟରେ ଅକ୍ଟୋବର ମାସରୁ ବାଘ ଗଣନା ହେବ ବୋଲି ଗତ ସେପ୍ଟେମ୍ବର ମାସରେ ପିସିସିଏଫ ସୂଚନା ଦେଇଥିଲେ । ରାଜ୍ୟର ଶିମିଳିପାଳ ଜାତୀୟ ଉଦ୍ୟାନ, ସାତକୋଶିଆ, ଡେବ୍ରିଗଡ଼, କେନ୍ଦୁଝର, ସୁନାବେଡ଼ା ସହ ଅନ୍ୟ କିଛି ଜଙ୍ଗଲରେ ଏହି ଗଣନା କାର୍ଯ୍ୟ ଆରମ୍ଭ କରିବାକୁ ବନ ବିଭାଗ ଲକ୍ଷ୍ୟ ରଖିଥିଲା । ପ୍ରଥମେ ଟ୍ରାଞ୍ଜାକ୍ଟ ଆନାଲିସିସ ଜରିଆରେ ବାଘର ସନ୍ଧାନ କରାଯିବ । ତା’ପରେ ଯେଉଁଠାରେ ବାଘ ସମ୍ପର୍କରେ ସୂଚନା ମିଳିବ ସେଠାରେ କ୍ୟାମେରା ଟ୍ରାପ ଲଗାଯିବ ବୋଲି କୁହାଯାଇଥିଲା ।କିଛି ମାସ ତଳେ ବେଙ୍ଗାଲୁରୁ ସ୍ଥିତ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନର ୩ ଜଣ ବିଶେଷଜ୍ଞ ଓଡ଼ିଶା ଆସିବା ସହ ସେମାନେ ପ୍ରଥମେ ୨୦ ଜଣ ମାଷ୍ଟର ଟ୍ରେନରଙ୍କୁ ତାଲିମ୍ ଦେଇଥିଲେ । ନିକଟରେ ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା । ସେଥିରେ ୮ଟି ସର୍କଲର ଡିଏଫଓ, ଏସିଏଫ, ବନ ବିଭାଗ ଅଧିକାରୀ, ବନ କର୍ମଚାରୀଙ୍କୁ ସାମିଲ କରାଯାଇଥିଲା । ମାଷ୍ଟର ଟ୍ରେନରମାନେ ଟ୍ରେନିଂ ନେବା ପରେ ସେମାନେ ଗଣନାରେ ସାମିଲ ହେବାକୁ ଥିବା କର୍ମଚାରୀଙ୍କୁ ଟ୍ରେନିଂ ଦେବେ ବୋଲି କୁହାଯାଇଥିଲା ।