ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ):- ଦକ୍ଷିଣ ଓଡିଶାବାସୀ ସ୍ୱାସ୍ଥସେବା ପାଇଁ ନିର୍ଭର କରୁଥିବା ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ନିଯୁକ୍ତି ପାଇଥିବା ୭ ଜଣ ଡାକ୍ତର ବର୍ଷ ବର୍ଷ ଧରି କାର୍ଯ୍ୟରେ ଯୋଗଦେଉନଥିବା କିମ୍ୱା କୌଣସି ଲିଖିତ ଭାବରେ କର୍ତ୍ତୃପକ୍ଷଙ୍କୁ ଅବଗତ କରିନଥିବା ସହିତ ଇତି ମଧ୍ୟରେ ବାରମ୍ୱାର ଦିଆଯାଇଥିବା ଚିଠିର କୌଣସି ଜବାବ ମିଳୁନଥିବା ଯୋଗୁଁ ସ୍ୱାସ୍ଥ ବିଭାଗ ପାଖରେ ଏହି ଚିକିତ୍ସକଙ୍କର ପତ୍ତା ନାହାଁ । ଗୋଟିଏ ପଟେ ମେଡିକାଲରେ ଡାକ୍ତର ଅଭାବ ସେପଟେ ବର୍ଷ ବର୍ଷ ଧରି ମେଡିକାଲ କଲେଜରେ ନିଯୁକ୍ତି ପାଇଥିବା ୭ ଡାକ୍ତରଙ୍କ ଖୋଜଖବର ନ ମିଳିବା ଯେତିକି ଗୁରୁତ୍ୱପୂର୍ଣ୍ଣ ସେତିକି ଦିନକୁ ଦିନ କୌତୁହଳ ବିଷୟ ପାଲଟିଛି । ସେପଟେ ଏହି ବିଷୟକୁ ନେଇ ଏମ୍.କେ.ସି.ଜି କର୍ତ୍ତୃପକ୍ଷ ସ୍ୱାସ୍ଥ ବିଭାଗକୁ ଅବଗତ କରିଥିବା କହିଥିବା ବେଳେ ସ୍ଥାନୀୟ ବ୍ରହ୍ମପୁର ବିଧାୟକ ଏଭଳି ବିଷୟକୁ ନେଇ ରାଜ୍ୟରେ ନୂତନ ସରକାର ଗଠନ ହେବା ପରେ ସରକାରଙ୍କୁ ଅବଗତ କରିଥିବା କହିଛନ୍ତି । ନିଯୁକ୍ତି ପାଇବା ପରେ ବର୍ଷ ବର୍ଷ ଧରି ମେଡିକାଲ କଲେଜକୁ ନଆସିବା କିମ୍ୱା କୌଣସି ନିର୍ଦ୍ଧିଷ୍ଟ ଭାବରେ କେଉଁ କାରଣ ପାଇଁ ଡାକ୍ତର ମାନେ ଅନୁପସ୍ଥିତ ରହିଛନ୍ତି ସେ ନେଇ କୌଣସି ଲିଖିତ ବିଷୟ କର୍ତ୍ତୃପକ୍ଷଙ୍କୁ ଅବଗତ ନକରିବା ଯେତିକି ରୋମାଞ୍ଚକର ସେତିକି ସରକାରୀ କାର୍ଯ୍ୟରେ ଦାୟିତ୍ୱହୀନତା ପଦାରେ ପଡିଛି । କୌଣସି ଖୋଜ ଖବର ନଥିବା ମେଡିକାଲ କଲେଜର ୭ଜଣ ଡାକ୍ତରଙ୍କ ମଧ୍ୟରୁ ୨ଜଣ ଡାକ୍ତର ପ୍ରାୟ ୯ବର୍ଷ ହେବ କାର୍ଯ୍ୟକୁ ଆସୁନାହାନ୍ତି । ଯାହାକି ୨୦୧୬ ମସିହା ଠାରୁ ଦୁଇ ଜଣ , ୨୦୧୮, ୨୦୨୦, ୨୦୨୧ ଓ ୨୦୨୨ ମସିହାରୁ ଜଣେ ଲେଖାଏଁ ଏବଂ ପରିଶେଷରେ ୨୦୨୩ ମସିହାରୁ ଜଣେ କାର୍ଯ୍ୟରେ ଯୋଗ ଦେଉନାଥିବା କୁହାଯାଇଛି ।
ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜରେ ସାତ ଜଣ ଡାକ୍ତର ଦୀର୍ଘ ମାସ ଧରି କାର୍ଯ୍ୟରେ ଯୋଗ ନଦେଇ ଅନୁପସ୍ଥିତ ରହିବା ଘଟଣାକୁ ନେଇ ମେଡିକାଲର ଅଧ୍ୟକ୍ଷ ପ୍ରଫେସର ସୁଚିତ୍ରା ଦାଶ ଏନେଇ ଥରେ ନୁହେଁ ବାରମ୍ୱାର ପତ୍ର ପଠାଯାଇ ଏହାରି ମାଧ୍ୟମରେ ଅନୁପସ୍ଥିତ ଡାକ୍ତରଙ୍କୁ ଯୋଗଦାନ କରିବାକୁ କୁହାଯାଇଛି । ହେଲେ ତାହାର କୌଣସି ଉତ୍ତର ଅଦ୍ୟାବଧି ମେଡିକାଲ କର୍ତ୍ତୁପକ୍ଷଙ୍କ ନିକଟରେ ପହଞ୍ଚିନଥିବା କହିଛନ୍ତି । ଏପରିକି ଆମେ ଏ ନେଇ ସରକାରଙ୍କୁ ଘଟଣା ସଂପର୍କରେ ଅବଗତ କରିଥିବା ବେଳେ ସରକାରଙ୍କ ପକ୍ଷରୁ ମଧ୍ୟ ଦୁଇଥର ଚିଠି ଲେଖାଯାଇଛି । ହେଲେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ମଧ୍ୟ ତାହାର ପ୍ରତିଉତ୍ତର ପାଇପାରିନଥିବା କହିଛନ୍ତି । ବର୍ତ୍ତମାନ ଏହା ସରକାରଙ୍କ ସ୍ତରରେ ରହିଥିବା ଯୋଗୁଁ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ସରକାରଙ୍କ ସ୍ତରରେ ନିଆଯିବ ବୋଲି କହିଛନ୍ତି । ଏଭଳି ପରିସ୍ଥିତିରେ ସେମାନେ ଚାକିରୀରୁ ସଂପୂର୍ଣ୍ଣ ଭାବରେ ବହିଷ୍କୃତ ନହେବା ପର୍ଯ୍ୟନ୍ତ ସେହି ଡାକ୍ତରଙ୍କ ପଦବୀକୁ ଆମେ ଖାଲି ରହିଥିବା ଦେଖାଇପାରିବୁ ନାହିଁ ବୋଲି କହିଛନ୍ତି ମେଡିକାଲ କଲେଜର ଅଧ୍ୟକ୍ଷା । ତେଣୁ ଏହାକୁ ସରକାରୀ ସ୍ତରରେ ଯାହା ନିଷ୍ପତ୍ତି ନିଆଯିବା କଥା ବୋଲି କୁହାଯାଇଛି ।
ଅନ୍ୟପଟେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଗୋଟିଏ ପଟେ ଡାକ୍ତର ଅଭାବ ଏବଂ ଅନ୍ୟପଟେ ବର୍ଷ ବର୍ଷ ଧରି ସାତ ଜଣ ଡାକ୍ତର ନିଯୁକ୍ତି ପାଇଥିଲେ ମଧ୍ୟ ପତ୍ତା ନଥିବା ଯୋଗୁଁ ସଂପୃକ୍ତ ଡାକ୍ତରଙ୍କୁ ଖୋଜି ବାହାର କରିବା ପାଇଁ ସ୍ଥାନୀୟ ବୈଦ୍ୟନାଥପୁର ଥାନାରେ ଲିଖିତ ଭାବରେ ଏତଲା ଦେଇଛନ୍ତି ବିଜେପି ନେତା ରାମ କୁମାର ପାତ୍ର । ଏପରିକି ଏଠାରେ ଅନ୍ୟ କିଛି ଡାକ୍ତର ଏଠାରେ କେବଳ ଉପସ୍ଥାନ ପକାଇ ରାଜ୍ୟର ଅନ୍ୟ ସ୍ଥାନରେ କ୍ଲିନିକ କରି ରୋଗୀ ଦେଖୁଥିବା କହିଛନ୍ତି ।