କମିଶନର ଲାଗି ମୋ ଝିଅ ମରିଲା !

0

ମେୟରଙ୍କ ଆଗରେ କମିଶନର- ନିର୍ବାହୀ ଯନ୍ତ୍ରୀ ତୂତୁ-ମେମେ
ତମ ଲାଗି ମୋ ଝିଅ ମରିଲା ବୋଲି କମିଶନରଙ୍କ ଉପରେ ଆରୋପ ଲଗାଇଲେ ନିର୍ବାହୀ ଯନ୍ତ୍ରୀ!
ଆରୋପ ନେଇ ସବୁଠି ଚର୍ଚ୍ଚା, କେତେ ସତ କେତେ ମିଛ, କିଏ ଖୋଲୁନାହାନ୍ତି ପାଟି

ବ୍ରହ୍ମପୁର (ସୁଜିତ ବିଶୋୟି ) : ବ୍ରହ୍ମପୁର ମହାନଗର ନିଗମରେ କିଛି ଠିକ୍ ଠାକ୍ ଚାଲିନି । ପଦାକୁ ସମସ୍ତେ ଏକଜୁଟ ହୋଇ ବ୍ରହ୍ମପୁର ମହାନଗର ନିଗମ ପାଇଁ ଲାଗିଥିବା ଭଳି ଦିଶୁଥିବା ବେଳେ ଭିତରେ ସବୁଠି ଟକ୍କରକା ଟକ୍କରି ପରିସ୍ଥିତି । ଗତ ଦୁଇ ଦିନ ତଳେ କମିଶନର, ନୂଆ କରି ନିର୍ବାହୀ ଯନ୍ତ୍ରୀ ଦାୟିତ୍ୱ ନେଇଥିବା ସୁବୁଦ୍ଧି ବାବୁ ସହ ଜେଇ ମାନଙ୍କ ବୈଠକ ହେଉଥିଲା । ସହରରେ ଚାଲିଥିବା ଉନ୍ନୟନ ମୂଳକ ଯୋଜନା କିଭଳି ତ୍ୱରାନ୍ୱିତ ହେବ, ଉନ୍ନୟନ କାମ ଦୀର୍ଘ ୬ମାସ ହେଲା ଠପ୍ ହୋଇ ପଡ଼ିଛି, କାମ ଗୁଡ଼ିକର ଟେଣ୍ଡର ବାହାର କରି କାମ ଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା ହେଉଥିଲା । ତେବେ ବୈଠକ ମଧ୍ୟରେ କୌଣସି ଏକ କାର୍ଯ୍ୟକୁ ନେଇ କମିଶନର କୁଆଡ଼େ ନିର୍ବାହୀ ଯନ୍ତ୍ରୀ ସୁବୁଦ୍ଧିଙ୍କୁ କହିଥିଲେ, ଟିକେ ବସି କାଗଜପତ୍ର ଯାଂଚ କରି କାମ ଆଗକୁ ବଢ଼ାଇବା । ଏତିକି ବେଳକୁ ସୁବୁଦ୍ଧିଙ୍କ ପାରା ପଂଚମରେ ପହଂଚିଥିଲା । ସୁବୁଦ୍ଧି ବାବୁ ଆଉ କଥାକୁ ସମ୍ଭାଳି ପାକରିନଥିଲେ । ବିଭିନ୍ନ ଆରୋପ ପ୍ରତ୍ୟାରୋପ ଉଭୟଙ୍କ ପକ୍ଷରେ ହୋଇଥିଲା । କମିଶନରଙ୍କ ସହ ବାଦବିବାଦ ଲାଗିପଡ଼ିଥିଲେ ସୁବୁଦ୍ଧି ଆଜ୍ଞା । ଶେଷରେ ସୁବୁଦ୍ଧି ବାବୁ ନିଗମ କମିଶନରଙ୍କ ଉପରେ ବର୍ଷିଥିଲେ । କିଛି ଦିନ ପୂର୍ବେ ସୁବୁଦ୍ଧି ବାବୁଙ୍କ ଝିଅଙ୍କ ମୃତୁ୍ୟ ଘଟିଛି । ତେବେ ଏହି ମୃତୁ୍ୟ ପାଇଁ କୁଆଡ଼େ ସୁବୁଦ୍ଧି ବାବୁକ ମହାନଗର ନିଗମ କମିଶନରଙ୍କ ଉପରେ ଆରୋପ କରିଥିଲେ । ଏହାକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା ।ବୈଠକରେ ଥିବା ସମସ୍ତ ଜେଇ ମାନେ ଆବା କାବା ହୋଇ ପରସ୍ପରକୁ ଅନାଉଥିଲେ । କିଏ ବା କାହାକୁ କହିବ । ଏପଟେ ମାରିବେ ଗୋ ହତ୍ୟା, ସେପଟେ ମାରିଲେ ବ୍ରହ୍ମ ହତ୍ୟା । ପାଟିତୁଣ୍ଡ ଏମିତି ବଢ଼ିଲା ଯେ, ମହାନଗର ନିଗମ ସାରା ବାସିଲା । ଡାକରା ପଡ଼ିଲା ମେୟର ମେଡମ୍ଙ୍କୁ । ମେୟର ମେଡମଙ୍କ ଆଗରେ ବି ସେଭଳି ପାଟିତୁଣ୍ଡ ଚାଲୁ ରହିଥିଲା । ମେୟର ମେଡମ କଣ କରିବେ ଭାବି ପାରୁନଥିଲେ । ଶେଷରେ ଉଭୟଙ୍କୁ ବୁଝାଇବା ସହ କଥାକୁ ସେଠାରେ ଅଟକାଇଥିଲେ । ପରେ ବୈଠକ ସାଙ୍ଗ ହୋଇଥିଲା । ଗତ ନିଗମ ବୈଠକରେ ପୂର୍ବରୁ ଦାୟିତ୍ୱ ତୁଲାଉଥିବା ନିର୍ବାହୀ ଯନ୍ତ୍ରୀ ଲଳିତ ଦାସଙ୍କୁ ସରକାର ଦାୟିତ୍ୱରୁ ମୁକ୍ତ କରିଥିବାରୁ ତାଙ୍କୁ ଏଠାରୁ ଟ୍ରାନ୍ସଫର କରାଯାଇଥିଲା । ଦାୟିତ୍ୱ ଦିଆଯାଇଥିଲା ଏଇଇ ବା ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ସୁବୁଦ୍ଧିଙ୍କୁ । ସୁବୁଦ୍ଧି ବାବୁ ବି ବୈଠକରେ କର୍ପୋରେଟରଙ୍କ ସହଯୋଗ ଲୋଡ଼ିବା ସହ ମିଳିମିଶି କାମ କରିବା ବୋଲି କହିଥିଲେ । କିନ୍ତୁ ବୈଠକ ସରିବାର ଦିନ ଦୁଇଟା ବିତିନି କାମ ନେଇ କରି କଣ ମହାନଗରର ଉନ୍ନତି କରିବେ, ଏକାଥରକେ କମିଶନରଙ୍କ ସହ ପାଟିତୁଣ୍ଡ, ଆରୋପ ପ୍ରତ୍ୟାରୋପ । ଯାହା ବି ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାନି । ସବୁଠି ଚର୍ଚ୍ଚା । ଯଦି ସୁବୁଦ୍ଧି ବାବୁ କାମ କରିପାରିବେ ନାହିଁ, ତେବେ ନିଗମ ଆଉ କାହାକୁ ଆଣୁ । ଏମିତି ଯଦି ପାଟିତୁଣ୍ଡ ହେବ । କାମ ଆଉ ଆଗେଇବ ନାହିଁ । ଅନ୍ୟପକ୍ଷରେ ଏନେଇ କୌଣସି ମତାମତ ଦେବାକୁ ଆଗଉ ନାହାନ୍ତି କମିଶନର, ମେୟର ଆଉ ଖୋଦ୍ ନିର୍ବାହୀ ଯନ୍ତ୍ରୀ ସୁବୁଦ୍ଧି ବାବୁ । ଆଗକୁ ଦେଖିବାକୁ ବାକି ରହିଲା, ଏହା କେତେ ସତ ଆଉ କେମିତି ଚାଲୁଛି ବ୍ରହ୍ମପୁର ମହାନଗର ନିଗମ ।

 

LEAVE A REPLY

Please enter your comment!
Please enter your name here