ବିଜେପିରେ ମିଶିଲେ ମମତା ମହାନ୍ତ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବିଜେପିରେ ଯୋଗଦେଲେ ମମତା ମହାନ୍ତ । ବିଜେପି ଦିଲ୍ଲୀ ମୁଖ୍ୟାଳୟରେ ସାଧାରଣ ସଂପାଦକ ଅରୁଣ ସିଂହଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ମମତା । ଏହି ମିଶ୍ରଣ ପର୍ବରେ ଓଡ଼ିଶା ପ୍ରଭାରୀ ବିଜୟପାଲ୍‌ ସିଂ ତୋମାରଙ୍କ ସହ ବହୁ ନେତା ଉପସ୍ଥିତ ଥିଲେ । କାଲି ରାଜ୍ୟସଭା ସାଂସଦ ଓ ବିଜେଡିରୁ ଇସ୍ତଫା ଦେଇଥିଲେ ମମତା ମହାନ୍ତ ।ବିଜେପିରେ ଯୋଗଦେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ମମତା ମହାନ୍ତ । ସେ କହିଛନ୍ତି ଯେ, ଲୋକମାନେ ମୋର ସଂପତ୍ତି, ଲୋକଙ୍କ ସେବା ହିଁ ଏକମାତ୍ର ଲକ୍ଷ୍ୟ । ବିଜେଡିରେ ଅଣଦେଖା କରାଗଲା, ସେବା ସୁଯୋଗ ପାଇଲିନି । ବିଜେଡିରେ ମୋର ଆଉ ଆବଶ୍ୟକତା ଲୋଡ଼ା ପଡୁନି ଅନୁଭବ କଲି ବୋଲି ମମତା ମହାନ୍ତ କହିଛନ୍ତି ।ମୟୂରଭଞ୍ଜ ଜିଲ୍ଲାର କୁଡ଼ୁମୀ ସଂପ୍ରଦାୟର ଟାଣୁଆ ନେତ୍ରୀ ମମତା ମହାନ୍ତ ୨୦୨୦ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୬ ଏପ୍ରିଲରେ ତାଙ୍କ କାର୍ଯ୍ୟକାଳ ସରିବାର ଥିଲା । ତେବେ ଏହାର ପ୍ରାୟ ୨୧ ମାସ ପୂର୍ବରୁ ସେ ରାଜ୍ୟସଭା ସଭ୍ୟ ପଦ ସହ ବିଜେଡି ମଧ୍ୟ ଛାଡ଼ିଛନ୍ତି । ସେପଟେ ମମତା ସାଂସଦ ପଦରୁ ଇସ୍ତଫା ଦେଇଥିବା ନେଇ ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନକଡ ସୂଚନା ଦେଇଥିଲେ। ମମତାଙ୍କ ଇସ୍ତଫା ପରେ ବିଜେଡିର ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ୯ରୁ ୮କୁ ଖସିଛି।

LEAVE A REPLY

Please enter your comment!
Please enter your name here