(ବିପ୍ଲବୀ ପରିକ୍ରମା ବ୍ୟୁରୋ);ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ପୁଣି ଚର୍ଚ୍ଚାରେ । ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସଙ୍କ ଶପଥ ଗ୍ରହଣ ସମାରୋହ ଉତ୍ସବରେ ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ଆଗଧାଡ଼ିରେ ପ୍ରଦୀପଙ୍କୁ ଦେଖିବାକୁ ମିଳିଥିଲା । ତେବେ ଦେଖନ୍ତୁ ଏ ଦୃଶ୍ୟକୁ । ଗୋଟେ ପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗୋଟେ ପଟେ ବାଚସ୍ପତି ପ୍ରମିଳା ମଲ୍ଲିକ । ଅନେକ ବିଧାୟକ ପଛ ଧାଡ଼ିରେ ଥିଲାବେଳେ ପ୍ରଦୀପ କିନ୍ତୁ ଥିଲେ ଆଗ ଧାଡ଼ିରେ । ପୁଣି ଧର୍ମେନ୍ଦ୍ର ପ୍ରମିଳାଙ୍କ ପାଖାପାଖି । ଏଥିରୁ କ’ଣ ବୁଝା ପଡୁଛି । ଏହା ବୁଝିବା କି ପ୍ରଦୀପକୁ ନେଇ ନୂଆ ରାଜନୈତିକ ସମୀକରଣ ତିଆରି ହେଉଛି । ଅଥବା ଏହା ବୁଝିବା କି ପ୍ରଦୀପ ଖୁବଶୀଘ୍ର ବିଜେପିକୁ ଯାଇପାରନ୍ତି । ନା ଏହା ବୁଝିବାକି ପ୍ରଦୀପକୁ ଧର୍ମେନ୍ଦ୍ର ଖୁବ୍ ଗୁରୁତ୍ୱ ଦେଉଛନ୍ତି ।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ମଝିରେ ପ୍ରଦୀପ ବସିଥିବାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା । ତେବେ ଶପଥ ସମାରୋହ ଉତ୍ସବରେ ପ୍ରଦୀପଙ୍କ ପାଇଁ ଉକ୍ତ ଆସନ ଉଦ୍ଦିଷ୍ଟ ଥିଲା ନା ପ୍ରଦୀପ ନିଜ ଇଚ୍ଛାରେ ସେଠାରେ ବସିଥିଲେ ସ୍ପଷ୍ଟ ହୋଇନି ।ତେବେ ଶପଥ ସମାରୋହ ଉତ୍ସବରେ ପ୍ରଦୀପଙ୍କ ପାଇଁ ଉକ୍ତ ଆସନ ଉଦ୍ଦିଷ୍ଟ ଥିଲା ନା ପ୍ରଦୀପ ନିଜ ଇଚ୍ଛାରେ ସେଠାରେ ବସିଥିଲେ ସ୍ପଷ୍ଟ ହୋଇନି ।ସୂଚନା ଅନୁସାରେ, ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ରାଜଭବନର ନୂଆ ଅଭିଷେକ ହଲରେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ଏହି ଶପଥ ସମାରୋହ ଉତ୍ସବରେ ଗଣମାଧ୍ୟମକୁ ପ୍ରବେଶ ପାଇଁ ଅନୁମତି ନଥିଲା । ମାତ୍ର ରାଜଭବନ ସୂତ୍ରରୁ ଜଣାପଡ଼ିଛି ଯେ, ଏହି ଶପଥ ସମାରୋହ ଉତ୍ସବକୁ ବିଧାୟକ, ମନ୍ତ୍ରୀ ଓ ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମଂଚରେ ଉପସ୍ଥିତ ଥିଲେ ।ତେବେ ବିଜେଡିରୁ ବହିଷ୍କୃତ ହେବା ପରଠୁ ପ୍ରଶାସନିକ କାର୍ଯ୍ୟରେ ଅଣଦେଖା ରହିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଏକାଠି ବସିଥିବାର ଫଟୋ ଭାଇରାଲ ହେବାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି ।ତେବେ ରାଜଭବନ ସୂତ୍ରରୁ ଜଣାପଡ଼ିଛି ଯେ, ରାଜ୍ୟପାଳଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ ସବୁ ବିଧାୟକ ଓ ମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଉତ୍ସବକୁ ନିମନ୍ତ୍ରିତ ହୋଇ ଆସିଥିବା ବିଧାୟକ ଓ ମନ୍ତ୍ରୀମାନଙ୍କ ବସିବା ପାଇଁ ସମ୍ମୁଖସ୍ଥ ୨-୩ଟି ଧାଡ଼ିର ସିଟ୍ ଉଦ୍ଦିଷ୍ଟ ରହିଥିଲା । ସେଭଳି କୌଣସି ନିର୍ଦ୍ଦିଷ୍ଟ ସିଟ୍ କୌଣସି ଅତିଥିଙ୍କ ପାଇଁ ସଂରକ୍ଷିତ ନଥିଲା । ତେଣୁ ବିଧାୟକ ପାଣିଗ୍ରାହୀଙ୍କ ପାଖରେ ଖାଲି ଥିବା ସିଟରେ ବାଚସ୍ପତି ପ୍ରମିଳା ମଲ୍ଲିକ ବସିଥିଲେ ସେମାନଙ୍କ ପରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଆସିଥିଲେ ଓ ଆଗଧାଡ଼ିରେ ଖାଲି ଥିବା ସିଟରେ ବସିଥିବା ରାଜଭବନ ସୂତ୍ରରୁ ଜଣାପଡ଼ିଛି ।