ବିଜେପି ମୁହାଁ ବିଜେଡି ନେତା ଓ କର୍ମୀ

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ଭାଙ୍ଗୁଛି ବିଜେଡି ସଙ୍ଗଠନ । ନେତୃତ୍ୱଙ୍କ ଉପରେ କମୁଛି ଭରସା । ବିଜେପି ମୁହାଁ ବିଜେଡି ନେତା ଓ କର୍ମୀ । ଭୁବନେଶ୍ୱର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମୋହନ ମାଝୀଙ୍କୁ ଭେଟିଛନ୍ତି କେନ୍ଦୁଝର ସଦରର ୧୮ ଜଣ ସମିତିସଭ୍ୟ। ମୁଖ୍ୟମନ୍ତ୍ରୀଙ୍କ ଭେଟଘାଟ ପରେ କେନ୍ଦୁଝର ଜିଲ୍ଲା ବିଜେଡିରେ ଆରମ୍ଭ ହୋଇଛି କମ୍ପନ। ଚର୍ଚ୍ଚା ହେଉଛି ସଦର ବ୍ଲକ ଅଧ୍ୟକ୍ଷ ଆସନ ବିଜେଡି ପାଖରେ ଥିବାରୁ ଖୁବ୍ ଶୀଘ୍ର ଆସିପାରେ ଅନାସ୍ଥା। ଆହୁରି ସାଂଘାତିକ କଥା ହେଲା, ଖାଲି କେନ୍ଦୁଝର ସଦର ନୁହେଁ, ବିଜେପିରେ ସାମିଲ ହୋଇଛନ୍ତି ବାଂଶପାଳ ବ୍ଲକର ୧୪ ଜଣ ବିଜେଡି ସମର୍ଥିତ ସମିତି ସଭ୍ୟ ଆଉ ୧୪ ଜଣ ସରପଞ୍ଚ। ତେଲକୋଇ ବିଧାୟକ ଫକୀର ମୋହନ ନାୟକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କର ସମର୍ଥନ ଜଣେଇଛନ୍ତି। ଉଭୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ କେନ୍ଦୁଝର ସଦର ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀର କିଛି ଅଞ୍ଚଳ ବାଂଶପାଳ ବ୍ଲକରେ ରହିଛି। ତେଣୁ ଖୁବ୍‌ଶୀଘ୍ର ବାଂଶପାଳରେ ବି ସମାନ ସ୍ଥିତି ଉପୁଜି ପାରେ । କାହିଁକିନା ୨୧ରୁ ୧୮ ଆସନରେ ବିଜେଡି ସମର୍ଥିତ ପ୍ରାର୍ଥୀ ଜିତି ବାଂଶପାଳ ବ୍ଲକ ଅଧ୍ୟକ୍ଷ ପଦକୁ ନିଜ ପାଖରେ ରଖିଥିଲା ଦଳ। ହେଲେ ଏବେ ୧୭ ଜଣ ଶାସକ ଦଳ ବିଜେପିରେ । ଏପଟେ ସଙ୍ଗଠନ ବଞ୍ଚାଇବାକୁ ଆଉ ପାଣ୍ଡିଆନ ନୁହେଁ ନିଜେ ଗ୍ରାଉଣ୍ଡକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ। ନଭେମ୍ବରରୁ ଓଡିଶା ବୁଲିବେ ନବୀନ ।

କାରଣ ପରାଜୟର ଦୁଇ ମାସ ପରେ ଗତକାଲି ବସିଥିବା ଦଳର ପ୍ରଥମ ସମନ୍ବୟ କମିଟି ବୈଠକରେ ପାଣ୍ଡିଆନଙ୍କ ଉପରେ ଅସନ୍ତୋଷ ଝାଡିଥିଲେ ବରିଷ୍ଠ ନେତା । ୨୪ ବର୍ଷର ନିରଙ୍କୁଶ କ୍ଷମତା ଉପଭୋଗ ପରେ ଏବେ କ୍ଷମତା ବାହାରେ ରହିବାକୁ ନାରାଜ ବିଜେଡି ନେତା ଓ କର୍ମୀ। ଏପଟେ ପୁଣି ପରାଜୟ ସତ୍ତ୍ୱେ ବି ଦଳରେ ଜାରି ରହିଛି ଆଉଟସୋର୍ସିଂ ନେତାଙ୍କ ଦବଦବା । ତେଣୁ ଏଭଳି ସ୍ଥିତିରେ କେନ୍ଦୁଝର ପରେ ଆଉ କେଉଁ ଜିଲ୍ଲାର ପାଳି ପଡୁଛି ତା ଉପରେ ନଜର।

LEAVE A REPLY

Please enter your comment!
Please enter your name here