ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଦୀର୍ଘ ଦିନର ଅସୁସ୍ଥତା ପରେ ଶନିବାର ରାତିରେ ପୂର୍ବତନ ବୈଦେଶିକ ମନ୍ତ୍ରୀ କେ ନଟୱର ସିଂଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ତାଙ୍କ ପରିବାର ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଦିଲ୍ଲୀ ନିକଟ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ନଟୱର ସିଂ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ନଟୱର ସିଂଙ୍କ ସମ୍ପୂର୍ଣ୍ଣ ନାମ କୁୱଁର ନଟୱର ସିଂ।
ସେ ୧୬ ମେ’ ୧୯୩୧ରେ ରାଜସ୍ଥାନର ଭରତପୁର ଜିଲ୍ଲାରେ ରହୁଥିବା ଏକ ରାଜ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ଗ୍ୱାଲିଅରର ସିନ୍ଧିଆ ସ୍କୁଲ ଏବଂ ଅଜମେରର ମାୟୋ କଲେଜରେ ଅଧ୍ୟୟନ କରିଥିଲେ। ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ସ୍ନାତକ ହାସଲ କରିଥିଲେ। ଏହା ପରେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ନଟୱର ସିଂ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଭିଣୋଇ ଥିଲେ।
ପୂର୍ବତନ କଂଗ୍ରେସ ସାଂସଦ ତଥା ରାଜ୍ୟସଭା ସଦସ୍ୟ ନଟୱର ସିଂ ୨୦୦୪-୦୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ୟୁପିଏ ସରକାରରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିଲେ।