ପୁରୀ ( ବିପ୍ଲବୀ ପରିକ୍ରମା ):- ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା । ଭାଇ ହାତରେ ସ୍ନେହର ଡୋରି ବାନ୍ଧିବ ଭଉଣୀ । ଆଉ ମାଗିବ ସୁରକ୍ଷାର ପ୍ରତିଶ୍ରୁତି । ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ଜଗତନାଥ ଜଗନ୍ନାଥ ବି ଏହି ପରମ୍ପରା ସହ ଜଡିତ । କେବଳ ମଣିଷ ନୁହେଁ ମହାପ୍ରଭୁ ବି ହାତରେ ବାନ୍ଧନ୍ତି ରାକ୍ଷୀ । କେଉଁ କାଳରୁ ଶ୍ରୀମନ୍ଦିରରେ ପାଳିତ ହୋଇଆସୁଛି ରକ୍ଷାବନ୍ଧନ ଉତ୍ସବ । ଭଉଣୀ ସୁଭଦ୍ରା ବଡଭାଇ ବଳଭଦ୍ର ଓ ଜଗତର ସାଆନ୍ତ ଜଗନ୍ନାଥଙ୍କ ହାତରେ ବାନ୍ଧନ୍ତି ରାକ୍ଷୀ । ଆସନ୍ତା 19ରେ ରାକ୍ଷୀ ପୂର୍ଣ୍ଣିମା ଥିବାରୁ ଶ୍ରୀମନ୍ଦିରରେ ରାକ୍ଷୀ ପ୍ରସ୍ତୁତିରେ ଲାଗିଛନ୍ତି ପାରମ୍ପାରିକ ପାଟରା ବିଷୋୟୀ ସେବାୟତ । ଚାରୋଟି ବଡ଼ ରାକ୍ଷୀ ସହ ଗୁଆମାଳ ମଧ୍ୟ ପ୍ରସ୍ତୁତ କରୁଛନ୍ତି ଏହି ସେବାୟତ । ଆସନ୍ତା ସୋମବାର ରଙ୍ଗବେରଙ୍ଗ ବାସୁଙ୍ଗା ପାଟରେ ପ୍ରସ୍ତୁତ ଏହି ରାକ୍ଷୀ ଶ୍ରୀମନ୍ଦିରକୁ ଯିବ ।
ରାକ୍ଷୀ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ପ୍ରସ୍ତୁତି କରାଯାଉଛି । ଏହି ଦିନ ବଳଭଦ୍ର ଜନ୍ମ ସହ ଭଉଣୀ ସୁଭଦ୍ରା ରାକ୍ଷୀ ବାନ୍ଧିବେ ଦୁଇଭାଇ ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତରେ । ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଯୋଗାଇ ଦିଆଯାଇଥିବା ରଙ୍ଗବେରଙ୍ଗ ବାସୁଙ୍ଗା ପାଟରେ ପ୍ରସ୍ତୁତ କରାଯାଉଛି ଏହି ରାକ୍ଷୀ । ପ୍ରଭୁ ବଳଭଦ୍ରଙ୍କ ପାଇଁ ବାଇଗଣୀ-ନୀଳ ଓ ଜଗନ୍ନାଥଙ୍କ ପାଇଁ ହଳଦିଆ-ନାଲି ୨ଟି ଲେଖାଏଁ ରାକ୍ଷୀ ପ୍ରସ୍ତୁତ କରାଯାଉଛି । ପାଟରା ବିଷୋୟୀ ସନ୍ତୋଷ କୁମାର ପାତ୍ର ବେଶ ନିଷ୍ଠାର ସହ ଏହି ରାକ୍ଷୀ ପ୍ରସ୍ତୁତ କରୁଛନ୍ତି । ତେବେ ଏହି ରାକ୍ଷୀ ସହିତ ଚାରିଗୋଟି ଗୁଆମାଳ ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ୫୪ଟି ଗୁଆରେ ପ୍ରସ୍ତୁତ ଏହି ଗୁଆମାଳ ମଧ୍ୟ ରକ୍ଷାବନ୍ଧନ ଅବସରରେ ଲାଗି କରାଯିବାର ପରମ୍ପରା ରହିଛି । ଏହାଛଡ଼ା ପାର୍ଶ୍ବ ଦେବାଦେବୀଙ୍କ ପାଇଁ ମଧ୍ୟ ରାକ୍ଷୀ ପ୍ରସ୍ତୁତ କରିଥାନ୍ତି ପାଟରା ବିଷୋୟୀ ସେବାୟତ ମାନେ। ପୂର୍ଣ୍ଣିମା ଦିନ ପ୍ରସ୍ତୁତ ଏହି ରାକ୍ଷୀ ଶ୍ରୀମନ୍ଦିର ଗାରଦରେ ଦିଆଯିବା ପରେ ସିଂହାରୀ ସେବାୟତ ମାନେ ଏହାକୁ ମହାପ୍ରଭୁଙ୍କ ବାହୁରେ ଲାଗି କରିଥାନ୍ତି।
ମହାପ୍ରଭୁଙ୍କ ପାଇଁ ରାକ୍ଷୀ ପ୍ରସ୍ତୁତ କରିଥିବା ପାଟରା ବିଷୋୟୀ ସେବାୟତ ସନ୍ତୋଷ କୁମାର ପାତ୍ର କହିଛନ୍ତି, ‘ରାକ୍ଷୀ ପ୍ରସ୍ତୁତିରେ ସେ ଦଶଦିନ ହେବ ଲାଗିଛନ୍ତି । ଏହା ଶେଷ ପର୍ଯ୍ୟାୟରେ ପହଁଚିଛି । 4ଟି ରାକ୍ଷୀ ଓ 4ଟି ଗୁଆମାଳ ପ୍ରସ୍ତୁତି ହୋଇଛି । ଏହା 19 ତାରିଖ ସକାଳେ ଆମେ ଏହାକୁ ଶ୍ରୀମନ୍ଦିରରେ ହସ୍ତାନ୍ତର କରିବୁ । ଏହି ରାକ୍ଷୀ ସମ୍ପୂର୍ଣ୍ଣ ବାସୁଙ୍ଗା ପାଟରେ ପ୍ରସ୍ତୁତ କରାଯାଏ । ଏହା ଆମର ପାରିବାରିକ ସେବା । ଶ୍ରୀକ୍ଷେତ୍ରରେ ମହାପ୍ରଭୁ ମାନବୀୟ ଲୀଳା କରୁଛନ୍ତି । ଭାଇ ଭଉଣୀ ମଧ୍ୟ ରେ କିଭଳି ନିବିଡ ସମ୍ପର୍କ ତାହା ମହାପ୍ରଭୁ ବାର୍ତ୍ତା ଦେଉଛନ୍ତି । ମହାପ୍ରଭୁଙ୍କ ଏଠି ସବୁ ବଡ । ବଡ ଠାକୁର, ବଡଦାଣ୍ଡ, ବଡଧାମ, ବଡ ଦେଉଳ । ମହାପ୍ରଭୁ ବିଶ୍ଵର ସବୁଠୁ ବଡ ରାକ୍ଷୀ ହାତରେ ପିନ୍ଧିଥାନ୍ତି । ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରି ଭକ୍ତ ବହୁତ ଆନନ୍ଦ ଲାଭ କରନ୍ତି ।