କେନ୍ଦୁଝର ( ବିପ୍ଲବୀ ପରିକ୍ରମା ):-କେନ୍ଦୁଝର ଜିଲ୍ଲା ବଡବିଲ ସବଜେଲରେ ମଙ୍ଗଳବାର ଜଣେ ବିଚାରାଧୀନ କଏଦୀ ତୁଷାରକାନ୍ତ ମଲ୍ଲିକ ଆତ୍ମହତ୍ୟା କରିଥିବା ଜଣା ପଡିଛି। ସୂଚନାନୁସାରେ ୪ ବର୍ଷ ତଳେ ତୁଷାର ଭୁବନେଶ୍ୱରର ଅନୁସୟାଙ୍କୁ ପ୍ରେମ ବିବାହ କରିଥିବା ବେଳେ ତାଙ୍କ ୩ ବର୍ଷର ସନ୍ତାନ ମଧ୍ୟ ରହିଛି। ବିବାହ ପରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡା ଲାଗି ରହିଥିବା ବେଳେ ରବିବାର ତୁଷାର ତାଙ୍କ ଝିଅ ସହ ବଜାରକୁ ଯାଇଥିଲେ। ଏହି ସମୟରେ ପତ୍ନୀ ଅନୁସୟା ବଡବିଲ କଳିଙ୍ଗ ନଗର ସ୍ଥିତ ଓଏମସି କଲୋନୀରେ ଥିବା ଘରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ। ଏହାକୁ ଏକ ଯୌତୁକ ଜନିତ ହତ୍ୟା ବୋଲି ଅନୁସୟାଙ୍କ ବାପା ବଡବିଲ ଥାନାରେ ଅଭିଯୋଗ କରିଥିଲେ। ସୂଚନାନୁସାରେ ସେହି ଅଭିଯୋଗକୁ ଭିତ୍ତିକରି ପୋଲିସ୍ ଅନୁସୟାଙ୍କ ସ୍ବାମୀ ତୁଷାରଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିଲା। ସେଠାରୁ ରାତିରେ ତୁଷାରଙ୍କୁ ବଡବିଲ ସବଜେଲ ପଠା ଯାଇଥିଲା । ମାତ୍ର ଆଜି ଭୋରରୁ ଝରକାରେ ଏକ ଗାମୁଛା ବାନ୍ଧି ଝୁଲନ୍ତାବସ୍ତାରେ ତୁଷାରଙ୍କୁ ଦେଖି ଜେଲକର୍ମୀ ତାଙ୍କୁ ବଡବିଲ ମେଡିକାଲ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ବଡବିଲ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରା ଯାଇଥିବା ବେଳେ ସାଇଣ୍ଟିଫିକ ଟିମର ମଧ୍ୟ ସହଯୋଗ ନିଆ ଯାଇଛି। କିପରି ଭାବେ କେଉଁ କାରଣରୁ ତୁଷାର ଆତ୍ମହତ୍ୟା କଲେ ତାକୁ ନେଇ ବଡବିଲ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସେନେଇ ମଙ୍ଗଳବାର ଅପରାହ୍ନରେ କେନ୍ଦୁଝରରୁ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ସରଜମିନ ଯାଞ୍ଚ୍ କରିଛନ୍ତି।
ଏଠାରେ ପ୍ରଶ୍ନ ଉଠୁଛି ସୋମବାର ରାତିରେ ଜଣେ କଏଦୀ ଜେଲ ଆସି ରାତି ନ ପୁରୁଣୁ ଜେଲରେ ଆତ୍ମହତ୍ୟା କରିଦେଲେ ହେଲେ ଡ୍ୟୁଟିରେ ଥିବା ୱାର୍ଡେନ କେମିତି ଜାଣି ପାରିଲେ ନାହିଁ। ଯଦି ୱାର୍ଡେନ ଜଣକ ଠିକ୍ ଭାବେ ନିଜ ଦାୟିତ୍ୱ ତୁଲାଇ ଥାଆନ୍ତେ ହେଲେ କଏଦୀ ଜଣକ ନିଜ ଜୀବନ ସହଜରେ ହାରି ଥାଆନ୍ତେ କି ? ନିଜ ଦାୟିତ୍ୱରେ ଅବହେଳା ପାଇଁ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ହେବ ତ ? ଏହି ଘଟଣାକୁ ନେଇ ସଂପୃକ୍ତ ୱାର୍ଡେନଙ୍କ ସହ ପଚରା ଉଚୁରା ଚାଲିଥିବା ଜଣା ପଡିଛି। ଅନ୍ୟ ପକ୍ଷରେ ବର୍ତ୍ତମାନ କୁନି ଝିଅଟି ଅନାଥ ହୋଇ ଯାଇଥିବା ବେଳେ ଏପରି ଅଭାବନୀୟ ଘଟଣା ଜିଲ୍ଲା ସାରା ଶୋକାକୁଳ ପରିବେଶ ସୃଷ୍ଟି କରିଛି।