ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ନାଳରେ ଭାସିଯାଇ ନିଖୋଜ ହୋଇଥିବା ନାବାଳକର ମୃତ ଦେହ ଉଦ୍ଧାର । ୪ଘଣ୍ଟାର ସର୍ଚ୍ଚ ଅପରେସନ ପରେ ମୃତଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଯୁବକ । ମୁକୁଳା ଡ୍ରେନରେ ପଡି ବ୍ରହ୍ମପୁରର ୧୦ ବର୍ଷର ନାବାଳକ ସାଇରାମ ପାତ୍ର ନିଖୋଜ ହୋଇଥିଲେ । ଲକ୍ଷ୍ମୀ ନୃସିଂହ ସାହି ୧୪ନମ୍ବର ଗଳିର ଶେଷ ମୁଣ୍ଡରେ ଥିବା ନାଳରୁ ସାଇରାମଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ରାତି ୮ଟା ବେଳେ ସାଇକେଲ ଚଳାଇ ଆସୁଥିବା ସାଇରାମ ପାତ୍ର ହଠାତ୍ ରାସ୍ତା କଡ ନାଳରେ ପଡିଯାଇଥିଲେ । ପ୍ରବଳ ବର୍ଷା ଯୋଗୁଁ ନାଳ ପାଣି ରାସ୍ତା ଉପରକୁ ମାଡ଼ି ଆସିଥିଲା । ଫଳରେ ରାସ୍ତା ଓ ନାଳ ଜଣାପଡ଼ୁନଥିଲା । ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲା ନାବାଳକ । ନିକଟରେ ଥିବା କିଛି ଯୁବକ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ। ପରେ କେବଳ ତାଙ୍କ ସାଇକେଲ ଟି ହିଁ ମିଳିଥିଲା। ସ୍ଥାନୀୟ ଲୋକେ ବିଏମସି ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।ଅଗ୍ନିଶମ ଓ ବି ଏମ୍ ସିର ଉପସ୍ଥିତିରେ ଦୀର୍ଘ ୪ଘଣ୍ଟା ଧରି ଖୋଜାଖୋଜି ପରେ ପିଲାଟିର ମୃତଦେହ ଉଦ୍ଧାର ହୋଇଥିଲା । ପିଲାଟିର ମୃତଦେହ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡ଼ିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ଏଠାରେ ପ୍ରଶ୍ନ ଉଠୁଛି କାହାର ଭୁଲ ପାଇଁ ଏତେ ବଡ ଘଟଣା ଘଟିଲା ଓ ଏଥିପାଇଁ ଦାୟୀ କିଏ।