ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଚାଷ ଜମିରେ ପାଣି ମଡାଇବାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ । ଠେଙ୍ଗା ଓ ଟାଙ୍ଗିଆ ଆକ୍ରମଣରେ ଉଭୟ ପକ୍ଷର ୬ ଜଣ ଆହତ ହୋଇଥିବା ବେଳେ, ଜଣକର ମୃତ୍ୟୁ ହୋଇଛି । ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଅର୍ନ୍ତଗତ ନୂଆଁବାଙ୍କତରା ଗାଁ ରେ ଘଟିଛି ଏଭଳି ଘଟଣା । ସମସ୍ତ ଆହତ ଙ୍କୁ ନିକଟସ୍ଥ ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ, ଗୁରୁତର ଆହତ ଥିବା କବିରାଜ ଗୈାଡଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଗୋଟିଏ ପକ୍ଷର ୪ ଜଣ ଏବଂ ଅନ୍ୟ ପକ୍ଷର ୨ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଭଂଜନଗର ମେଡିକାଲରେ ମୃତ ଦେହକୁ ଜବତ କରି, ଘଟଣାର ତଦନ୍ତ ଚଳାଇଛି ପୋଲିସ । ସୂଚନା ପ୍ରକାରେ ନୂଆଁବାଙ୍କତରା ଗାଁ ର କବିରାଜ ଗୈାଡ ଏବଂ ଦେବରାଜ ଗୈାଡ ଦୁଇ ଭାଇ । ଉଭୟ ଦୁଇଭାଇଙ୍କ ପରିବାର ମଧ୍ୟରେ ପୂର୍ବରୁ ଅସନ୍ତୋଷ ରହିଥିଲା । ଗୁରୁବାର ସକାଳେ ଚାଷ ଜମିରେ ପାଣି ମଡାଇବାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ବଚସା ହୋଇଥିଲା । ଯାହାଫଳରେ ଦୁଇଭାଇ ଏବଂ ତାଙ୍କର ପୁଅ ମାନଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଥିଲା । ଠେଙ୍ଗା ଓ ଟାଙ୍ଗିଆ ରେ ଉଭୟେ ଉଭୟଙ୍କୁ ଆକ୍ରମଣ କରିଥିଲେ ।
ଯାହାଫଳରେ ଜଣକ ଜୀବନ ଯିବା ସହ, ୬ ଜଣ ଆହତ ହୋଇଥିଲେ । ଭଂଜନଗର ଏସଡିପିଓ, ଅତିରିକ୍ତ ଆରକ୍ଷୀ ଅଧିକାରୀ ଏବଂ ତାରାସିଙ୍ଗି ଥାନାଧିକାରୀ ମେଡିକାଲରେ ପହଞ୍ଚି, ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଘଟଣାରେ ସଂପୃକ୍ତ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଡିପିଓ କହିଛନ୍ତି ।