ରକ୍ଷାବନ୍ଧନରେ ରାଷ୍ଟ୍ରପତିଙ୍କୁ ଭେଟିଲେ ସେଣ୍ଟ ଜାଭିଏର୍ସ ହାଇସ୍କୁଲର ଛାତ୍ରଛାତ୍ରୀ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ରକ୍ଷାବନ୍ଧନର ପୁଣ୍ୟ ଅବସରରେ ମୀନାକ୍ଷି ନଗର ସ୍ଥିତ ସେଣ୍ଟ ଜାଭିଏର୍ସ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ ପବିତ୍ରା ଶବର, ଅଷ୍ଟମ ଶ୍ରେଣୀ ଛାତ୍ରୀ ଲିପିକା ଦଳପତି, ସପ୍ତମ ଶ୍ରେଣୀ ଛାତ୍ର ରମେଶ ପାଇକ ଏବଂ ଆମ୍ବପୁଆ ସ୍ଥିତ ସେଣ୍ଟ ଜାଭିଏର୍ସ ହାଇସ୍କୁଲର ତୃତୀୟ ଶ୍ରେଣୀ ଛାତ୍ର ଆଦ୍ୟାଶ ପଟ୍ଟନାୟକ, ନବମ ଶ୍ରେଣୀ ଛାତ୍ରୀ ଇତିଶ୍ରୀ ବେହେରା ଗତ ୧୯ ତାରିଖ ଦିନ ରାଷ୍ଟ୍ରପତି ଭବନ ଠାରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମର୍ମୁଙ୍କୁ ସାକ୍ଷାତ କରିବାର ଏକ ବିରଳ ସୌଭାଗ୍ୟ ଅର୍ଜୁନ କରିଛନ୍ତି।

ସ୍କୁଲ ମ୍ୟାନେଜମେଣ୍ଟ ଦ୍ବାରା ଆୟୋଜିତ ଏହି ମହତ୍ତ୍ଵପୂର୍ଣ୍ଣ ସାକ୍ଷାତକାରରେ ବିଦ୍ୟାର୍ଥୀମାନେ ରାଷ୍ଟ୍ରପତିଙ୍କ ସହ ମିଶି ଫଟୋ ଉଠାଇବା ସହିତ ରାଷ୍ଟ୍ରପତି ଭବନ ପରିସରରେ ବୁଲିବା ଏବଂ ସମୁଚିତ ବ୍ୟବସ୍ଥାଗୁଡ଼ିକୁ ଉପଭୋଗ କରିବାର ସୌଭାଗ୍ୟ ପାଇଥିଲେ। ରାଷ୍ଟ୍ରପତି ସେମାନଙ୍କୁ କଠୋର ପରିଶ୍ରମ କରି ଜଣେ ଜଣେ ସଫଳ ମଣିଷ ହେବା ସହିତ ଦେଶ, ସ୍କୁଲ ଓ ପରିବାରକୁ ଗୌରବାନ୍ବିତ କରିବା ପାଇଁ ସଦୁପଦେଶ ପ୍ରଦାନ କରିଥିଲେ।

ସେଣ୍ଟ ଜାଭିଏର୍ସ ହାଇସ୍କୁଲ ସମୂହ ସାଉଥ ଜୋନର ଚେୟାରମେନ ଡକ୍ଟର ଗୌରୀ ଶଙ୍କର ପଣ୍ଡା, ସହ ନିର୍ଦ୍ଦେଶକ ଇଂ କୁନାଲ କୌଶିକ ପଣ୍ଡା ବିଦ୍ୟାର୍ଥୀମାନଙ୍କୁ ନେଇ ରାଷ୍ଟ୍ରପତି ଭବନ ଭ୍ରମଣ କରିବା ଅବସରରେ କହିଥିଲେ ଯେ ଏହା ପିଲାମାନଙ୍କ ପାଇଁ ବେଶ୍ ଶିକ୍ଷଣୀୟ ଓ ପ୍ରେରଣାପ୍ରଦ ଅବକାଶ ରହିଥିଲା I ଏହି ଭ୍ରମଣ ପିଲାମାନଙ୍କୁ ନିଶ୍ଚିତ ରୂପେ ସୁନାଗିରକ ଭାବେ ଗଠିତ ହେବାରେ ସାହାଯ୍ୟ କରିବ ବୋଲି ସେ କହିଥିବା ବେଳେ ପିଲାମାନେ ବି ଏହା ସେମାନଙ୍କ ଜୀବନର ଏକ ସୁନ୍ଦର ସ୍ମରଣୀୟ ଅନୁଭୂତି ଥିଲା ବୋଲି ସେମାନେ ମତପ୍ରକାଶ କରିଥିଲେ ।

 

.

LEAVE A REPLY

Please enter your comment!
Please enter your name here