ଠାକୁରମୁଣ୍ଡା ( ବିପ୍ଲବୀ ପରିକ୍ରମା ):- ଠାକୁରମୁଣ୍ଡା ରେଞ୍ଜ ଜରକ ଗ୍ରାମପଞ୍ଚାୟତ ଅନ୍ତର୍ଗତ କାଠୁଆନୁଆଗାଁ ଗ୍ରାମରେ ସକାଳେ ଭାଲୁ ଆକ୍ରମଣରେ ଜଣେ ଚାଷୀ ଆହତ ହୋଇଥିଲା ବେଳେ ପାଖାପାଖି ୧୦ଟା ସମୟରେ ଦୁଇ ଜଣ ମହିଳା ଛେଳି ଚରାଉଥିବା ସମୟରେ ଆକ୍ରମଣର ଶିକାର ହୋଇ ଥିବା ଜଣାପଡିଛି।ଘଟଣାସ୍ଥଳରୁ ତିନି ଜଣଙ୍କୁ ନିଜ ପରିବାର ଲୋକେ ତାଙ୍କୁ ଉଦ୍ଧାର ପରେ ଅଟୋ ଯୋଗେ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଆହତ ଚାଷୀ ଜଣକ ଜରକ ପଞ୍ଚାୟତ କାଠୁଆ ନୂଆଗାଁ ଗ୍ରାମର ଅନାମ ବେହେରା ବୋଲି ଜଣାପଡିଥିଲା ଏବଂ ମହିଳା ଦୁଇଜଣ ସାତକୋଶିଆ ରେଞ୍ଜ ମହୁଲଡିହା ପଞ୍ଚାୟତର କୋଇଲିପାଳ ଗାଁର ସୁଶିଳା ଦେହୁରୀ ଓ ଅଫିସ ସାହିର ସରୋଜିନୀ ମହାନ୍ତ ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ ସକାଳେ ଅନାମ ଧାନ ବିଲରେ ପାଣି ଛାଡିବାକୁ ଯାଇଥିଲେ।ବିଲରେ ପାଣି ଛାଡୁଥିବା ବେଳେ ନିକଟ ଜଙ୍ଗଲ ଭିତରୁ ଦୁଇଟି ଭାଲୁ ଆସି ତାଙ୍କୁ ଆକ୍ରମଣ କରିଦେଇଥିଲେ।ପାଖରେ ଥିବା ଅନ୍ୟ ଚାଷୀ ମାନେ ପାଟି କରିବାରୁ ଭାଲୁ ସେଠାରୁ ଖସି ପଳାଇ ଯାଇଥିଲେ। ମହିଳା ଦୁଇ ଜଣ ସାଳନ୍ଦୀ ନଦୀ କୂଳରେ ଛେଳି ଚରାଉଥିବା ସମୟରେ ଭାଲୁର ଶିକାର ହୋଇଥିଲେ।ତେବେ ଏପରି ଘଟଣା ବାରମ୍ବାର ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରେ ଘଟୁଥିଲେ ମଧ୍ୟ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନେଉନଥିବାରୁ ଗ୍ରାମବାସୀଙ୍କ ସୁରକ୍ଷା ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।