ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଜେଏମଏମ ଛାଡିଲେ ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ଦଳରୁ ପ୍ରାଥମିକ ସଦସ୍ୟ ପଦ ଓ ସମସ୍ତ ଦଳୀୟ ପଦବୀରୁ ଇସ୍ତଫା ଦେଇଛନ୍ତି ଚମ୍ପାଇ । ଦଳର କାର୍ଯ୍ୟ ଶୈଳୀ ଓ ନୀତିରେ ଅତିଷ୍ଟ ହୋଇ ଏପରି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା କହିଛନ୍ତି । ଆସନ୍ତାକାଲି (ଶୁକ୍ରବାର) ସେ ବିଜେପିରେ ସାମିଲ ହେବେ ଚମ୍ପାଇ । ଏହା ପୂର୍ବରୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ଓ ମନ୍ତ୍ରୀ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ।ଏକ୍ସରେ ଇସ୍ତଫା ପତ୍ର ସେୟାର କରି ସୋରେନ ଲେଖିଛନ୍ତି , ”ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରାଥମିକ ସଦସ୍ୟତା ଏବଂ ଦଳର ସମସ୍ତ ପଦବୀରୁ ମୁଁ ଇସ୍ତଫା ଦେଇଛି। ମୁଁ ଝାଡଖଣ୍ଡର ଆଦିବାସୀ, ଦଳିତ, ପଛୁଆ ତଥା ସାଧାରଣ ଲୋକଙ୍କ ପ୍ରସଙ୍ଗରେ ଲଢେଇ ଜାରି ରଖିବି। ” ଦଳର ସୁପ୍ରିମୋ ଶିବୁ ସୋରେନଙ୍କୁ ଇସ୍ତଫା ପତ୍ର ଲେଖିଥିଲେ ସୋରେନ । ଜେଏମଏମର ବର୍ତ୍ତମାନର କାର୍ଯ୍ୟ ଶୈଳୀରେ ଅସନ୍ତୋଷ ପ୍ରକାଶ କରି ଦଳରୁ ବିଦାୟ ନେବାକୁ ବାଧ୍ୟ ହୋଇଥିବା କହିଛନ୍ତି।