ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଅଭୟା ଘଟଣାର ପ୍ରତିବାଦ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତବ୍ୟକୁ ନେଇ ବଢୁଛି ଚାରିଆଡୁ ସମାଲୋଚନାର ସ୍ବର। ଓଡ଼ିଶା ସମ୍ପର୍କରେ ଦିଦିଙ୍କ ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାପସନ୍ଦ । ଓଡ଼ିଶା ସଂପର୍କରେ ଏଭଳି ଆପତ୍ତିଜନକ ଟିପ୍ପଣୀ ଦେବା ଲାଗି ଆପଣଙ୍କୁ ଏ ଅଧିକାର ଦେଲା କିଏ ବୋଲି ମମତାଙ୍କୁ ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ।ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ, ଓଡିଶାବାସୀ ଦାୟିତ୍ବବାନ ଓ ସଚେତନ । ତେଣୁ ଆପଣଙ୍କର ଏହି ବିଦ୍ବେଷ ଭାବ, ନକରାତ୍ମକ ମନ୍ତବ୍ୟ ସମ୍ବେଦନହୀନ। ଆମ ଓଡ଼ିଶାବାସୀ ଏହାକୁ କେବେ ଗ୍ରହଣ କରିବେ ନାହିଁ’ । ଅପରାଧର ଶିକାର ଝିଅକୁ ନ୍ୟାୟ ନେଦେଇ ପ୍ରତିଶୋଧ ପରାୟଣ ହେଉଛନ୍ତି । ଯେଉଁ ମନ୍ତବ୍ୟ ଦେଉଛନ୍ତି ଦେଶ ପାଇଁ ବିପଦଜନକ ବୋଲି ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।ସେପଟେ ମମତା ବାନାର୍ଜୀଙ୍କ ମନ୍ତବ୍ୟକୁ ଆସାମ ଓ ମଣିପୁର ମୁଖ୍ୟମନ୍ତ୍ରୀ ମଧ୍ୟ ନାପସନ୍ଦ କରିଛନ୍ତି । ସୋସିଆଲ ମିଡିଆ ‘ଏକ୍ସ’ରେ କଡ଼ା ସମାଲୋଚନା କରିଛନ୍ତି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ । ଧମକ ଦେବାକୁ କିଏ ସାହସ ଦେଲା ବୋଲି ମମତାଙ୍କୁ ପଚାରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।ସେହିପରି ଉତ୍ତରପୂର୍ବାଞ୍ଚଳ ପ୍ରତି ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି ଦିଦିଙ୍କୁ କହିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂ । ରାଜନେତା ହୋଇ ପବ୍ଲିକ ପ୍ଲାଟଫର୍ମରେ ହିଂସା କଥା କହିବା ନିନ୍ଦନୀୟ ବୋଲି ସେ ଉଲ୍ଲେଖ କରିଛନ୍ତି। ସେହିପରି ମମତା ବାନାର୍ଜୀଙ୍କ ମନ୍ତବ୍ୟକୁ ନେଇ କେନ୍ଦ୍ରାପଡା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ନିନ୍ଦା କରିଛନ୍ତି । ଓଡ଼ିଶା ଶାନ୍ତିପ୍ରିୟ ରାଜ୍ୟ, ଏପରି ଘୃଣାଭାବ ପ୍ରଚାରକୁ ଲୋକେ ପ୍ରଶୟ ଦେବେନି । ଆମ ସମାଜରେ ଏପରି ଚିନ୍ତାଧାରାର କୌଣସି ସ୍ଥାନ ନାହିଁ ବୋଲି ବୈଜୟନ୍ତ ଉଲ୍ଲେଖ କରିଛନ୍ତି ।