(ବିପ୍ଲବୀ ପରିକ୍ରମା ବ୍ୟୁରୋ);ଜାନୁଆରୀ ୧୭ରେ ହେବ ପୁରୀ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା । ୫ ଦିନ ଧରି ଜାନୁଆରୀ ୧୨ରୁ ପୂଜାର୍ଚ୍ଚନା କରାଯିବ । ଏନେଇ ସୂଚନା ଦେଇଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ସକାଳୁ ଶ୍ରୀ ଜଗନ୍ନାଥ ବଲ୍ଲଭ ପାର୍କିଂ ନିର୍ମାଣ, ଶ୍ରୀସେତୁ ନିର୍ମାଣ ଆଦି କାର୍ଯ୍ୟ ବୁଲି ଦେଖି ଅନୁଧ୍ୟାନ କରିଛନ୍ତି ଗଜପତି ମହାରାଜା । ଅଧିକାରୀଙ୍କ ସହିତ ଆଲୋଚନା କରିବା ସହ ନିର୍ମାଣ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିଥିଲେ । ଆଜି ସ୍ଥିତି ସମୀକ୍ଷା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଅଛନ୍ତି ।ଏହାପରେ ସନ୍ଧ୍ୟା ୬ଟାରେ ଗଜପତିଙ୍କ ଶ୍ରୀନଅରରେ ନୀତି ସବ କମିଟିର ବୈଠକ ବସିବା କାର୍ଯ୍ୟକ୍ରମ ରହିଛି । ଏହି ନୀତି ସବ୍ କମିଟି ବୈଠକରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଦିବସ କେବେ ହେବ, କିଭଳି ପୂଜା ବିଧି କରାଯିବ, କେତେ ଦିନ ଧରି ପ୍ରତିଷ୍ଠା ପୂଜା ଅନୁଷ୍ଠିତ ହେବ, କେଉଁ ଯାଗାରେ ପୂଜା ବିଧି ସମ୍ପନ୍ନ ହେବ ସେନେଇ ଆଲୋଚନା ହେବ । ବୈଠକରେ ନୀତି ସବ କମିଟିର ସଦସ୍ୟ, ପରିଚାଳନା କମିଟି ସଦସ୍ୟ, ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ ଓ ପଣ୍ଡିତ ମାନେ ଯୋଗଦାନ କରିବେ । ଏହି ବୈଠକରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି ।