ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଗୁଜରାଟରେ ଜଳପ୍ରଳୟ । ଭୟଙ୍କର ବନ୍ୟାସ୍ଥିତି ଭିତରେ ଏବେ ବାତ୍ୟା ଆଶଙ୍କା ଦେଖାଦେଇଛି । ଆରବ ସାଗରରେ ବାତ୍ୟା ଦାନା ବାନ୍ଧୁଥିବା ନେଇ IMD ପକ୍ଷରୁ ସୂଚନା ଦିଆଯାଇଛି । ଏହା ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଗତି କରୁଥିବାବେଳେ ଆଉ କିଛି ଘଣ୍ଟା ମଧ୍ୟରେ ଏହା ଘନିଭୂତ ହେବାର ଆଶଙ୍କା ଥିବା ନେଇ IMD ପକ୍ଷରୁ ସୂଚନା ଦିଆଯାଇଛି । ଏହା ଘୂର୍ଣ୍ଣିଝଡ଼ର ରୂପ ନେବାକୁ ଥିବାବେଳେ କଚ୍ଚ ଓ ସୌରାଷ୍ଟ୍ର ଅଞ୍ଚଳକୁ ସତର୍କ ସୂଚନା ଜାରି ହୋଇଛି ।ଗୋଟିଏ ପଟେ ସମୁଦ୍ର ଅଶାନ୍ତ ରହିଥିବାବେଳେ ଗୁଜୁରାଟରେ ଲାଗି ରହିଛି ଭୀଷଣ ବର୍ଷା । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।ଗୁଜୁରାଟରେ ଲଗାଣ ବର୍ଷା ଯୋଗୁ ବନ୍ୟା ସ୍ଥିତି ସଙ୍ଗୀନ ହୋଇଛି । ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଥିବାବେଳେ ଏବେବି ଅନେକ ଲୋକ ଫସି ରହିଥିବା କୁହାଯାଉଛି ।
ବାତ୍ୟାର ପ୍ରଭାବରେ ଓଡ଼ିଶା ଓ କେରଳରେ ପ୍ରବଳ ବର୍ଷା ନେଇ ସତର୍କ କରାଇଛି IMD । ଯାହାକୁ ନଜରରେ ରଖି ସ୍କୁଲ କଲେଜ ଛୁଟି ଘୋଷଣା ସହ ଆଲର୍ଟରେ ବିଭିନ୍ନ ଜିଲ୍ଲା ପ୍ରଶାସନ । ଗତକାଲି (ଗୁରୁବାର) ଦ୍ବାରକାରେ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ହେଲିକପ୍ଟର ଯୋଗେ ପହଞ୍ଚି 4 ଜଣଙ୍କୁ ଉଦ୍ଧାର କରିଥିଲା ବାୟୁସେନା । ଲଗାତାର ବର୍ଷା କାରଣରୁ ଭୀଷଣ ବନ୍ୟା ହୋଇଥିବାବେଳେ 28 ଜଣଙ୍କ ଜୀବନ ଗଲାଣି। ଏହା ପୂର୍ବରୁ NDRF ପ୍ରାୟ 95 ଜଣଙ୍କ ଜୀବନ ବଞ୍ଚାଇଛି । ଏବେବି ଅନେକ ଫସି ରହିଥିବାବେଳେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।