(ବିପ୍ଲବୀ ପରିକ୍ରମା ବ୍ୟୁରୋ);ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ନିଜ ଜନ୍ମମାଟି ଓ କର୍ମଭୂମି ରାଇରଙ୍ଗପୁରକୁ ଦ୍ୱିତୀୟ ଥର ଗସ୍ତରେ ଆସୁଛନ୍ତି । ଏ ନେଇ କୌଣସି ରାଷ୍ଟ୍ରପତି ଭବନରୁ ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିନାହିଁ । କିନ୍ତୁ ଥାପି ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ଓ ରାଜ୍ୟ ବିଜେପି ସମ୍ପାଦକ ନବୀନ କୁମାର ରାମ ଏଭଳି ଗସ୍ତ ନେଇ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ରାଷ୍ଟ୍ରପତି ଆସନ୍ତା ୨୦ ତାରିଖରେ ପ୍ରଥମେ ବାରିପଦାରେ ପହଞ୍ଚି ସାନ୍ତାଳୀ ରାଇଟର୍ସ ଏସୋସିଏସନର ଏକ ସ୍ୱତନ୍ତ୍ର ସମ୍ମିଳନୀ ଓ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରୁ ହେଲିକପ୍ଟର ଯୋଗେ ରାଇରଙ୍ଗପୁରରେ ପହଞ୍ଚିବେ। ୨୧ ସକାଳେ ଶ୍ରୀମତୀ ମୁର୍ମୁ ବାଦାମପାହାଡ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ବାଦାମପାହାଡରେ ରେଳ ମନ୍ତ୍ରଣାଳୟ ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବେ। ଏଥିପାଇଁ ଦକ୍ଷିଣ ପୂର୍ବ ରେଳ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ସେହିପରି ତାଙ୍କ ଦ୍ୱାରା ସ୍ଥାପିତ ଏସଏଲଏସ ଟ୍ରଷ୍ଟ ଆବାସିକ ବିଦ୍ୟାଳୟ ନିକଟରେ ଥିବା ଏଲଏଣ୍ଡଟି କମ୍ପାନୀ ସ୍ଥାପିତ ଦକ୍ଷତା ବିକାଶ କେନ୍ଦ୍ରକୁ ଆଭାସୀ ଜରିଆରେ ଲୋକାର୍ପଣ କରାଯିବ। ଏହାବ୍ୟତୀତ ରାଇରଙ୍ଗପୁର ମୁଖ୍ୟ ଡାକଘର ଏବେ ଜିଲା ବା ଡିଭିଜନାଲ ମୁଖ୍ୟ ଡାକ କାର୍ଯ୍ୟାଳୟ ହେବାର ସୂଚନା ମିଳିଛି। ଏହାକୁ ମଧ୍ୟ ବାଦାମପାହାଡରେ ରେଳବାଇ ବିଭାଗର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀରେ ରାଷ୍ଟ୍ରପତି ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ରାଇରଙ୍ଗପୁର ମୁଖ୍ୟ ଡାକଘରେ ଏବେ ଯୁଦ୍ଧକାଳୀନ ଭିତ୍ତିରେ ବ୍ୟାପକ ପୁନରୁଦ୍ଧାର, ଉନ୍ନତିକରଣ ଓ ମରାମତି ଆରମ୍ଭ ହୋଇଛି। ବାଦାମପାହାଡ ଠାରେ କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ସମ୍ବଲପୁର ଅଭିମୁଖେ ପ୍ରସ୍ଥାନ କରିବାର ସୂଚନା ମିଳିଛି।