ଚିକିଟି ( ବିପ୍ଲବୀ ପରିକ୍ରମା ):-:ଗଞ୍ଜାମ ଜିଲ୍ଲାର ଚିକିଟି ମଦମୃତ୍ୟୁ ମାମଲାରେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣଙ୍କ ଜୀବନ ଯାଇଛି । ଶନିବାର ଏହି ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିଲା । ରବିବାର ପୁଣି ଆଉ ଜଣେ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର MKCG ମେଡିକାଲରେ ପ୍ରାଣ ହରାଇଛନ୍ତି । ଏହି ମୃତ୍ୟୁକୁ ମିଶାଇ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି । ବିଷାକ୍ତ ମଦ ପିଇ ୧୬ ଜଣ ଅସୁସ୍ଥ ହୋଇଥିବା ଘଟଣାରେ ଆଗରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ସେପଟେ ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିନାହାନ୍ତି ସରକାର । ଅବକାରୀ ଓ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ କୌଣସି ତାଳମେଳ ନାହିଁ ।
ଘଟଣାରେ ରାଜ୍ୟ ସରକାର ଗମ୍ଭୀର ବୋଲି ଜଣା ପଡୁନାହିଁ ବୋଲି ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର ଭୃଗୁ ବକ୍ସିପାତ୍ର ।ଚିକିଟିରେ ବିଷାକ୍ତ ମଦ ପିଇ ୧୬ ଜଣ ଅସୁସ୍ଥ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ପୂର୍ବରୁ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଶନିବାର ବ୍ରହ୍ମପୁର MKCG ମେଡିକାଲରେ ଭେଣ୍ଟିଲେଟରରେ ରହିଥିବା ଲକ୍ଷ୍ମଣ ବେହେରା (୫୧)ଙ୍କ ପୂର୍ବରୁ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ରବିବାର ପୁଣି ଜଣେ ଅସୁସ୍ଥଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କରବାଲୁଆ ଗାଁର ବାୟା ସେଠୀ ବୋଲି ଜଣାପଡ଼ିଛି । ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି ।
ମୃତକଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ । ସେପଟେ ଅଦ୍ୟାବଧି ବିଷାକ୍ତ ଅପମିଶ୍ରିତ ମଦ୍ୟପାନ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅନେକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ ୨ ଜଣ ବ୍ରହ୍ମପୁର MKCG ମେଡିକାଲର ICUରେ ଭେଣ୍ଟିଲେଟରରେ ରହିଥିବା ବେଳେ ଅନ୍ୟ ୨ ଜଣ ୱାର୍ଡରେ ରହିଥିଲେ । ଚିକିତ୍ସିତ ହେଉଥିବା ୪ ଜଣଙ୍କ ମଧ୍ୟରୁ ରବିବାର ବାୟା ସେଠୀଙ୍କ ମୃତ୍ୟୁ ହୋଇଛି ।