(ବିପ୍ଲବୀ ପରିକ୍ରମା ବ୍ୟୁରୋ);ଶେଷରେ କାବୁ ହେଲା ମଣିଷ ଖିଆ ବାଘ । ମଣିଷ ରକ୍ତ ଚାଖିବା ପରେ ନୂଆପଡ଼ା ଅଞ୍ଚଳରେ ମଚାଇଥିଲା ଆତଙ୍କ । ଗାଁ ମୁଣ୍ଡରେ ବୁଲୁଥିଲା ତ କାହାକୁ ଆକ୍ରମଣ କରୁଥିଲା । ଯାହାକୁ ନେଇ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ, ଲୋକେ ଘରୁ ବାହାରିବାକୁ ମଧ୍ୟ ଭୟ କରୁଥିଲେ । ଶେଷରେ କଲରାପତରିଆ ବାଘକୁ ଯନ୍ତାରେ ପୂରାଇବାକୁ ସକ୍ଷମ ହୋଇଛି ବନ ବିଭାଗ । ଉତ୍ୟକ୍ତ ଲୋକେ ବାଘ କୁ ମାରିଦେବା ର ଉଦ୍ୟମ କରୁଥିବା ବେଳେ ଦୀର୍ଘ ସମୟର ଆଲୋଚନା ପରେ ବନ ବିଭାଗ ସୁରକ୍ଷିତ ଭାବରେ ବାଘ କୁ ଉଦ୍ଧାର କରି ନୂଆପଡା ରେଞ୍ଜ ଅଫିସ କୁ ଆଣି ଚିକିତ୍ସିତ କରିବାର ବ୍ୟବସ୍ଥା କରିଛନ୍ତି । ନୂଆପଡାରେ ମଣିଷ ରକ୍ତକୁ ଛାଡିପାରୁନି କଲରା ପତରିଆ, ନାବାଳକ ପରେ ମହିଳାଙ୍କୁ ମାରିଖାଇଲା ବାଘ । ଛଅ ଦିନ ତଳେ ଜଣେ ୬ ବର୍ଷର ବାଳକକୁ ବାଘ ଟେକି ନେଇ ମାରିଦେଇଥିଲା, ଗତକାଲି ମହିଳାଙ୍କୁ ମାରିଖାଇ ଦେଇଥିବା ବେଳେ ପୁଣି ସନ୍ଧ୍ୟା ରେ ଜଣେ ଶିଶୁ କୁ ଝାମ୍ପି ନେବା ର ଉଦ୍ୟମ କରିଥିଲା । ଶିଶୁ ଟି କୁ ବାଘ ମୁହଁ ରୁ ଉଦ୍ଧାର କରି ଚିକିତ୍ସିତ କରୁଛନ୍ତି । । ନୂଆପଡା ସୁନାବେଡା ଅଭୟାରଣ୍ୟ ଆଖପାଖ ଗାଁ ଗୁଡିକରେ ଆତଙ୍କ ଖେଳାଇଛି କଲରାପତରିଆ । ଶୁକ୍ରବାର ସିଲିଆରିବାହାରା ଗାଁର ମହିଳା ରାମେଶ୍ରୀ ମାଝୀ ଶୌଚ ହେବାକୁ ଯାଇଥିବା ବେଳେ ତାଙ୍କୁ ଟେକି ନେଇଥିଲା ବାଘ । ପରିବାର ଲୋକେ ପ୍ରଥମେ ଏହା ଜାଣିପାରିନଥିଲେ । ଖୋଜାଖୋଜି କରିବା ପରେ ଶନିବାର ସକାଳୁ ଜଙ୍ଗଲ ଭିତରେ ରାମେଶ୍ରୀଙ୍କ ମୃତଦେହକୁ ବାଘ ଖାଉଥିବାର ଲୋକେ ଦେଖିବାକୁ ପାଇଥିଲେ । ଲୋକେ ବାଘଟିକୁ ଘଉଡାଇବା ପାଇଁ ଚେଷ୍ଟା କରିବା ବେଳେ ଲୋକଙ୍କୁ ପାଲଟା ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ସେହି କଲରାପତରିଆ । ଲୋକେ ମୃତଦେହ ଉଦ୍ଧାର କରିବାରେ ବିଫଳ ହୋଇଥିଲେ । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚିଥିଲା । ଉତ୍ୟକ୍ତ ଲୋକେ ସେମାନଙ୍କ ସୁରକ୍ଷା ନେଇ ବନ ବିଭାଗକୁ ଘେରିବା ସହ ପ୍ରତିବାଦ କରିଥିଲେ। ବାଘଟି ମୃତଦେହ ପାଖରେ ଥିବାରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିବା ରେ ଦୀର୍ଘ ସମୟ ଲାଗିଥିଲା । ପୁଣି ସନ୍ଧ୍ୟା ସମୟରେ ଘଟଣା ସ୍ଥଳରୁ ଅଳ୍ପ କିଛି ଦୂର କୋଦୋପାଳି ଗାଁ ର ନୀଳକଣ୍ଠ ବରିହା ନାମକ ଶିଶୁ କୁ ବାଘ କବଳରୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ । ଏପରି ସ୍ଥଳେ ସ୍ଥାନୀୟ ଅଞ୍ଚଳରେ ଭୟ ର ବାତାବରଣ ଥିବା ବେଳେ ବାଘ ଟି ଜଣେ ବ୍ୟକ୍ତି ଙ୍କ ଘରେ ପଶି ଯାଇ ପରେ ଛାତ ଉପରେ ଛକି ବସିଥିଲା । ବନବିଭାଗ ର ଉଦ୍ୟମରେ ଏକ ପାଞ୍ଚ ଜଣିଆ ସ୍ୱତନ୍ତ୍ର ଦଳ କଳାହାଣ୍ଡି ରୁ ଆସି ଦୀର୍ଘ ସମୟ ର ଅକ୍ଲାନ୍ତ ପରିଶ୍ରମ ପରେ ବାଘ କୁ ଯନ୍ତା ରେ ଧରିବା ରେ ସଫଳ ହୋଇଥିଲେ । ବର୍ତ୍ତମାନ ବାଘ କୁ ନୂଆପଡା ଆଣି ଚିକିତ୍ସା କରିବାର ବ୍ୟବସ୍ଥା କରୁଥିବା ବେଳେ ଚିକିତ୍ସା ପରେ ନନ୍ଦନକାନନ କିମ୍ବା କୌଣସି ଜଙ୍ଗଲ ରେ ଛାଡିବା ର ବ୍ୟବସ୍ଥା କରାଯିବ ବୋଲି ଡି ଏଫ ଓ ସୁଶୀଲ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।