ନୂଆପଡା ( ବିପ୍ଲବୀ ପରିକ୍ରମା ):- ଆଶା ଥିଲା ଆଉ କିଛି ଦିନ ପରେ କପା ଅମଳ ହେବ, ଭଲ ଦୁଇ ପଇସା ଲାଭ ହେବ, ଧାର କରଜ ସବୁ ସୁଝି ପରିବାର ସୁଖ ଶାନ୍ତି ରେ ବଞ୍ଚିବା, ଏହି ଆଶା ଅସା ରେ ରହିଗଲା । ସବୁ ସ୍ଵପ୍ନ ଆଖି ସାମ୍ନା ରେ ଚୁରମାର ହୋଇ ପାଉଁଶ ହୋଇଗଲା । ହଁ ଆଜ୍ଞା ଆମେ କହୁଛୁ ଜଣେ ଏପରି ଅଭାଗିନୀ ଚାଷୀ ଙ୍କ ଦୁଃଖ ର କଥା । ସ୍ଵପ୍ନ ସ୍ଵପ୍ନ ରେ ରହିଗଲା କିଛି ଦିନ ହୋଇଥିଲେ କପା ଅମଳ କରି ହଜାର ହଜାର ଟଙ୍କା ପାଇଥାନ୍ତା । ହେଲେ ଦୋକାନୀ ର ଭୁଲ ଔଷଧ ସାଙ୍ଗକୁ କୃଷି ବିଭାଗ ଦ୍ଵାରା ସଚେତନତା ର ଅଭାବ ଯୋଗୁଁ ହାରାହାରି ତିନି ଏକର କପା ଚାଷ ଜଳିପୋଡ଼ି ପାଉଁଶ ସଦୃଶ ହୋଇ ମରିଗଲା । ଏବେ ମୁଣ୍ଡ ରେ ହାତ ଦେଇ ଗୁରୁଣ୍ଡି ଗୁରୁଣ୍ଡି କାନ୍ଦୁଛନ୍ତି ମହିଳା କପା ଚାଷୀ ପଦ୍ମିନୀ ପାଇକ ।
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଡମଝର ଗାଁ ର ପଦ୍ମିନୀ ପାଇକ ଏକ ଭାଗ ଚାଷୀ । ଚାଷୀ ଜଣକ ଭୂମିହୀନ ହୋଇଥିଲେ ହେଁ ଚାଷ କରିବା ର ନିଶା ତାଙ୍କ ପାଖରେ ରହୁଥିଲା । ଏଣୁ ଧାର କରଜ କୁ ନ ଡରି ହାରାହାରି ତିନି ଏକର ଜମିକୁ ଲିଜ ରେ ନେଇ କପା ଚାଷ କରିଥିଲେ । ହେଲେ ଅମଳ ସମୟରେ ଦାଉ ସାଜିଲା ଅଜଣା ପୋକ ସାଙ୍ଗ କୁ ଭୁଲ ଔଷଧ । ଏବେ ସର୍ବହରା ହୋଇ ସରକାରୀ ସହାୟତା ଅପେକ୍ଷା ରେ ।
ପଦ୍ମିନୀ ପାଇକ ଏକ ଗରିବ ଶ୍ରେଣୀର ଚାଷୀ ହୋଇଥିବା ବେଳେ ଅଭାବ ଅନଟନ ଭିତରେ ନିଜର ସମ୍ବଳ ସୁଦୃଢ଼ ଆଶାରେ କପା ଚାଷ ରେ ମନ ବଳାଇ ସାହୁକାର ଙ୍କ ଠାରୁ ଧାର ଆଣି ଜମି ଲିଜ ରେ ନେଇ ତିନି ଏକର ଜମି ରେ କପା ଚାଷ କରିଥିଲେ । ହେଲେ ଠିକ୍ ଅମଳ ପୂର୍ବରୁ ପଦ୍ମିନୀ ଙ୍କ ମୁଣ୍ଡ ଉପରେ ଚଡ଼କ ପଡ଼ିଲା ।କପା ଗଛ ରେ ଅଜଣା ରୋଗ ପୋକ ଲାଗିଗଲା । କିଟ କୁ ମାରିବା ପାଇଁ କୋମନା ବ୍ଲକର ଗୋଟେ ଗାଁରୁ ଏକ ଦୋକାନୀ ଠାରୁ କୀଟନାଶକ ଆଣି ସିଞ୍ଚନ କରିଥିଲେ । ହେଲେ କିଟ ପୋକ ମରିବା ବଦଳରେ ଧୀରେ ଧୀରେ କପା ଗଛ ଗୁଡ଼ିକ ଶୁଖି ପାଉଁଶ ହୋଇ ମରିବା ରେ ଲାଗିଲା । ଏହି ଦୃଶ୍ୟ ଦେଖି ପଦ୍ମିନୀ ହତବାକ ହୋଇ ବୋଡ଼େନ କୃଷି ବିଭାଗ କୁ ଜଣାଇଥିଲେ ହେଁ କପା ଗଛ କୁ ବନ୍ଚାଇବା ର କିଛି ଉପାୟ ମିଳି ପାରିନଥିଲା । ଏବେ କପା ଗଛ ସବୁ ମରି ପାଉଁଶ ହୋଇଯାଇଥିବା ବେଳେ ଜମି ହିଡ ରେ ବସି କାନ୍ଦି କାନ୍ଦି ସରକାରୀ ସହାୟତା ହିଁ ବଞ୍ଚିବା ର ଏକ ମାତ୍ର ରାସ୍ତା ବୋଲି ପଦ୍ମିନୀ ଅତି ଦୁଃଖ ର ସହ କହିଛନ୍ତି ।
କୃଷି ବିଭାଗ ର ସଚେତନତା ର ଅଭାବ ସାଙ୍ଗକୁ ଅଣ ପଞ୍ଜୀକୃତ ସାର ଦୋକାନୀ ଙ୍କ ପ୍ରାଦୁର୍ଭାବ ନୂଆପଡ଼ା ଜିଲ୍ଲା ର ଚାଷୀମାନଙ୍କୁ ସର୍ବହରା କରୁଥିବା ଅଭିଯୋଗ ହେଉଥିଲେ ହେଁ ପ୍ରଶାସନ ର ନୀରବ ରହିବା ସମସ୍ତ ଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଡମଝର ଗାଁର ପଦ୍ମିନୀ ଙ୍କ କ୍ଷେତ୍ର ରେ ମଧ୍ୟ ଏହା ହୋଇଥିବା ଚର୍ଚ୍ଚା ହେଉଛି । ପଦ୍ମିନୀ କୀଟନାଶକ ଆଣି କପା ରେ ସିଞ୍ଚନ କଲା ପରେ କିଟ ମରିବା ବଦଳ ରେ ଗଛ ସବୁ ସମ୍ପୂର୍ଣ୍ଣ ଭାବରେ ପାଉଁଶ ହୋଇ ମରିଯିବା ଭୁଲ ଔଷଧ ଓ ସଚେତନା ର ଅଭାବ କୁ ହିଁ ଦର୍ଶାଉଛି । ବର୍ତ୍ତମାନ ପଦ୍ମିନୀ ସର୍ବହରା ହୋଇ ମୁଣ୍ଡ ରେ ହାତ ଦେଇ କାନ୍ଦୁ ଥିବା ବେଳେ ବୋଡ଼େନ କୃଷି ବିଭାଗ ତଦନ୍ତ ଆରମ୍ଭ କରିଛି । ଡମଝର ସରପଞ୍ଚ ଙ୍କ ସହ ଗ୍ରାମବାସୀ ପଦ୍ମିନୀ ଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ସହ ଭୁଲ ଔଷଧ ଦେଇଥିବା ଦୋକାନୀ ଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅପରପକ୍ଷରେ ତଦନ୍ତ ଚାଲିଛି ସରକାରୀ ନିୟମ ଅନୁଯାୟୀ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବା ର ବ୍ୟବସ୍ଥା କରାଯିବ ବୋଲି ବୋଡ଼େନ କୃଷି ଅଧିକାରୀ କହିଛନ୍ତି । ବୋଡ଼େନ ବ୍ଲକ ଡମଝର ଗାଁ ର ପଦ୍ମିନୀ ପାଇକ ଙ୍କ କପା ଚାଷ ମରି ପାଉଁଶ ହୋଇଯିବା ଘଟଣା ରେ କୃଷି ବିଭାଗର ତଦନ୍ତ କେତେ ବାଟ ଯାଉଛି ଓ ପ୍ରଶାସନ କେଉଁ ପଦକ୍ଷେପ ନେଉଛି ତାହାକୁ ହିଁ ଅପେକ୍ଷା।