କେନ୍ଦୁଝର ( ବିପ୍ଲବୀ ପରିକ୍ରମା ):- କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ତଥା ଖଣି ମଣ୍ଡଳ ଅନ୍ତର୍ଗତ ବଲାଣିରେ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ଯୋଗୁଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଘଟଣାରୁ ପ୍ରକାଶ ଯେ ଏହି ପଞ୍ଚାୟତରେ ଥିବା ସେଲ ଖଣିରୁ ଏମଏସପି କାରଖାନାକୁ ଲୁହାପଥର ଗୁଣ୍ଡ ପରିବହନ ନିମନ୍ତେ କାର୍ଯ୍ୟାଦେଶ ସ୍ଥାନୀୟ ଏକ ପରିବହନ ସଂସ୍ଥାକୁ ମିଳିଥିବା ବେଳେ କିଛି ଅସାମାଜିକ ବ୍ୟକ୍ତି ସେଲ ଖଣି ସମ୍ମୁଖରେ ବସି ରହି ପରିବହନକୁ ଅଟକାଇଥିଲେ। ଫଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରିବହନ କାର୍ଯ୍ୟକୁ ସୁରୁଖୁରୁରେ କରାଇବା ଦାବିରେ ସ୍ଥାନୀୟ ଲୋକେ ମଧ୍ୟ ମେଳି କରିଥିଲେ।
ପରିବହନ କାର୍ଯ୍ୟ ଅବରୋଧ କରିବା ଅଭିଯୋଗରେ ବଲାଣି ଥାନାରେ ଏତଲା ହେବା ପରେ ପୋଲିସ ପକ୍ଷରୁ ଉଭୟ ପକ୍ଷକୁ ବୁଝାସୁଝା କରିବା ପରେ ସ୍ଥିତି ସାମାନ୍ୟ ହୋଇଥିଲା। ଲୋକଙ୍କ ଅଭିଯୋଗ ଅନୁଯାୟୀ ବିଗତ ସମୟରେ ଯେଉଁ ଅସାମାଜିକ ବ୍ୟକ୍ତି ମାନେ ନିଜର ପ୍ରାଦୁର୍ଭାବ ବଳରେ ନିରୀହ ଆଦିବାସୀ ମାନଙ୍କୁ ଶୋଷଣ କରୁଥିଲେ ସେଭଳି ବ୍ୟକ୍ତିଙ୍କୁ ଆଉ ସୁଯୋଗ ଦିଆଯିବ ନାହିଁ। ଏନେଇ ଲୋକେ ସଚେତନ ହୋଇଥିବା ବେଳେ କୌଣସି ବେଆଇନ କାର୍ଯ୍ୟକୁ ପ୍ରଶ୍ରୟ ଦିଆ ଯିବନାହିଁ ବୋଲି କହିଛନ୍ତି। ଯଦି ଆଗାମୀ ଦିନରେ ସମ୍ପୃକ୍ତ ବ୍ୟକ୍ତି ମାନେ ପୁନର୍ବାର ଏଭଳି କୁଚେଷ୍ଟା କଲେ ତାଙ୍କୁ ଉଚିତ୍ ଜବାବ ଦିଆ ଯିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି।