ବଡ଼ବିଲ ( ବିପ୍ଲବୀ ପରିକ୍ରମା ):- କଥାରେ ଅଛି ବାଘ ନ ଥିଲେ ମିରିଗି ନାଟ। ଜଙ୍ଗଲରେ ଯଦି ବାଘ ନ ଥାଏ ତେବେ ହରିଣ ମାନେ ପଦାକୁ ବାହାରି ନାଚିବାକୁ ଲାଗନ୍ତି। ଠିକ୍ ସେହିପରି ଚାଲିଛି ବଡବିଲ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ। ଆଉ ହଇରାଣ ହେଉଛନ୍ତି ଶହ ଶହ ଟ୍ରକ୍ ମାଲିକ। ସଂଘର କର୍ମକର୍ତ୍ତା ନିର୍ବାଚନର ସମୟ ଅତିକ୍ରମ ହୋଇଯାଇଥିଲେ ସୁଦ୍ଧା ଅଦ୍ୟାବଧି ନିର୍ବାଚନ କରାଯାଇନାହିଁ ଅଥବା କରାଇବାକୁ ଦିଆ ଯାଉନାହିଁ। ଫଳରେ ସଂଘରେ ଜଣେ ଦକ୍ଷ ମୁଖିଆ ନ ଥିବାରୁ ଦଲାଲ୍ ମାନେ ଏବେ ସକ୍ରିୟ ହୋଇ ମିରିଗି ନାଟ କରିବା ଆରମ୍ଭ କରି ଦେଲେଣି। ଲଗାମ ଛଡା ଏହି ଦଲାଲ୍ ମାନେ ନିଜକୁ ଟ୍ରକ ମାଲିକ ସଂଘର ସଦସ୍ୟ ପରିଚୟ ଦେଇ ଟ୍ରାନ୍ସପୋର୍ଟରଙ୍କୁ ନାନା ପ୍ରକାରେ ହଇରାଣ କରୁଥିବା ଅଭିଯୋଗ ହୋଇଛି l
କେବଳ ଏତିକି ନୁହେଁ, ଦୀର୍ଘ ଦିନରୁ ସଂଘର ସଦସ୍ୟ ରହିଥିବା ଗାଡି ମାଲିକ ମାନେ ମାଲ୍ ଲୋଡ କରି ନ ପାରି ଗାଡି ଛିଡା ରଖିବା ଫଳରେ ସେମାନେ ଆର୍ଥିକ ଅନଟନ ମଧ୍ୟଦେଇ ଗତି କରୁଛନ୍ତି। ଯାହାକୁ ନେଇ ତାଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖା ଯାଇଛି। ଏନେଇ ଆଜି ବଡବିଲ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ସାମାନ୍ୟ ଉତ୍ତେଜନା ଦେଖାଯାଇଥିବା ବେଳେ ଆଗକୁ ସ୍ଥିତି ଜଟିଳ ହେବା ସମ୍ଭାବନା ରହିଛି। ଏଣୁ ଯଥାଶୀଘ୍ର ସଂଘର ନିର୍ବାଚନ କରିବାକୁ ଟ୍ରକ୍ ମାଲିକ ମାନେ ଦାବି କରିଛନ୍ତି।