ବିପ୍ଲବୀ ପରିକ୍ରମା ବ୍ୟୁରୋ :- ହରିୟାଣା ନିର୍ବାଚନ ଫଳାଫଳ ଜଣାପଡିବା ପରେ ଏବେ ଜଲେବି ଚର୍ଚ୍ଚା ଜୋର୍ ଧରିଛି। ହରିୟାଣାରେ ବିଜେପିର ବିଜୟ ପରେ, କଂଗ୍ରେସ ପାଇଁ ବୁମେରାଂ ହୋଇଯାଇଛି ଜଲେବି ଫର୍ମୁଲା। ନିର୍ବାଚନ ଜିତିବା ପରେ ବିଜେପି ତରଫରୁ ରାହୁଲ ଗାନ୍ଧିଙ୍କ ବାସ ଭବନକୁ ଏକ କିଲୋ ଜଲେବି ପାର୍ସଲ କରାଯାଇଛି। କଟାକ୍ଷ କରି ବିଜେପି କହିଛି, ରାହୁଲଙ୍କ ଘରକୁ ପଠାଇବା ପାଇଁ ଏକ କିଲୋ ଜଲେବି ଅନଲାଇନ୍ ଅର୍ଡର କରାଯାଇଛି।ଏକ ଫୁଡ୍ ଏଗ୍ରିଗେଟର୍ ଆପର ସ୍ନାପସଟ୍ ପ୍ରକାଶ କରିଛି ଯେ, ଆକବର ରୋଡ୍ ୨୪ରେ ଦିଲ୍ଲୀର କନନାଟ୍ ପ୍ଲେସର ଏକ ଲୋକପ୍ରିୟ ଦୋକାନରୁ ଏକ କିଲୋ ଜଲେବି ଅର୍ଡର କରାଯାଇଥିଲା। ହରିୟାଣା ବିଜେପି ଟ୍ୱିଟରରେ ଏହି ଫଟୋ ପୋଷ୍ଟ କରି କହିଛି ଯେ ହରିୟାଣାର ସମସ୍ତ ବିଜେପି କର୍ମଚାରୀଙ୍କ ତରଫରୁ ଏହି ଜଲେବି ରାହୁଲ ଗାନ୍ଧିଙ୍କ ଘରକୁ ପଠାଯାଇଛି। ଯାହାର ମୂଲ୍ୟ ୬୦୯ ଟଙ୍କା। ଟ୍ୱିଟରରେ ସେୟାର କରିଥିବା ଅର୍ଡରର ସ୍କ୍ରିନ ସଟ୍ରେ ସମସ୍ତ ତଥ୍ୟ ଉଲ୍ଲେଖ କରାଯାଇଛି।ହରିୟାଣା ଗୋହାନାରେ ମାତୁରାମ ହାଲୱାଇଙ୍କ ଜଲେବି ଖୁବ୍ ପ୍ରସିଦ୍ଧ । ପ୍ରାୟ ୬ ଦଶନ୍ଧି ଧରି ସେଠି ଶୁଦ୍ଧ ଘିଅରେ ଛଣା ହେଉଥିବା ଜଲେବିର ଓଜନ ଗୋଟାକୁ ପ୍ରାୟ ଅଢ଼େଇ ଶହ ଗ୍ରାମ୍। ତେବେ ସେଠାରେ ନିର୍ବାଚନ ପ୍ରଚାର ବେଳେ ଏହି ଫେମସ୍ ଜଲେବି ଖାଇବା ସହ ଏହା କଥା ଭାଷଣରେ ଉଠାଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଏଭଳି ଜଲେବି ଫ୍ୟାକ୍ଟ୍ରିରେ ତିଆରି ହେଲେ ୫୦ ହଜାର ଲୋକ ନିଯୁକ୍ତି ପାଇବେ ଓ ଏହା ବାହାର ରାଜ୍ୟ ଓ ବିଦେଶକୁ ବି ରପ୍ତାନୀ ହୋଇପାରିବ ବୋଲି କହିଥିଲେ। ଏହାକୁ ନେଇ ତାଙ୍କୁ କଟାକ୍ଷ କରିଥିଲା ବିଜେପି ।