କରଞ୍ଜିଆ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ମା’ ଦୁର୍ଗତିନାଶିନୀ ଦେବୀ ଦୁର୍ଗା ଭକ୍ତଙ୍କ ଗହଳିରୁ ବିଦାୟ ନେଲେ। ଧୂପ, ଦୀପ, ଝୁଣା ସାଙ୍ଗକୁ ପାରମ୍ପରିକ ବାଦ୍ୟ ବଜାଇ ମା’ଙ୍କୁ ବିଦାୟ ଦିଆଯାଇଛି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ବହୁ ଧୁମଧାମରେ ପାଳିତ ହୋଇଛି ଦୁର୍ଗାପୂଜା ମା’ ଆସିବା ପରେ କରଞ୍ଜିଆ ହୋଇ ଉଠିଥିଲା ଉତ୍ସବ ମୁଖର ୯ ଦିନିଆ ଯାତ୍ରାରେ ଧରାପୃଷ୍ଠାକୁ ଆସି ଭକ୍ତଙ୍କୁ ନିଜ ପଣତକାନିରେ ବାନ୍ଧି ରଖିଥିଲେ । କେଉଁଠି ମା’ର ପ୍ରଚଣ୍ଡ ରୂପ ତ ଆଉ କେଉଁଠି ମା’ଙ୍କ କରୁଣାମୟୀ ରୂପ ଦେଖି ଭକ୍ତ ହେଉଥିଲେ ବିଭୋର ।
ହେଲେ ମାଆଙ୍କୁ ମେଲାଣି ଦେବାର ଦୃଶ୍ୟ ଥିଲା ବେଶ ଭାବବିହ୍ବଳ । ପାରମ୍ପରିକ ବାଦ୍ୟ ସହିତ ଭକ୍ତଙ୍କ କାନ୍ଧରେ ମାଆ ମେଲାଣି ନେଇଛନ୍ତି | ଏଥର ଭସାଣି ଉତ୍ସବରେ ଡିଜେ ଉପରେ କଟକଣା ଲଗାଯାଇଥିଲା। ଫଳରେ କଟକଣା ଯୋଗୁ ଏଥର କରଞ୍ଜିଆବାସୀ ଅବଶ୍ୟ ଡିଜେର କାନଫଟା ଯନ୍ତ୍ରଣାରୁ ମୁକ୍ତି ପାଇଥିଲେ, ଅଧିକାଂଶ ପୂଜା କମିଟି ଡିଜେ ବଦଳରେ ପାରମ୍ପରିକ ବାଦ୍ୟକୁ ଭସାଣି ଶୋଭାଯାତ୍ରାରେ ସାମିଲ କରିଥିଲେ। ସନ୍ଧ୍ୟା ହେଉ ହେଉ ରାଜରାସ୍ତା ହୋଇଉଠିଥିଲା ଲୋକାରଣ୍ୟ । ରାଜରାସ୍ତାରେ ପାରମ୍ପରିକ ବାଦ୍ୟ ବଜାଇ ମା’ଙ୍କୁ ବିଦାୟ ଦିଆଯାଉଥିଲା। କରଞ୍ଜିଆ ରାସ୍ତା ହୋଇଉଠିଥିଲା ଦେବୀମୟ । ଉଚ୍ଛୁଳି ପଡ଼ୁଥିଲା ରାଜରାସ୍ତା । ଝୁଣା ଓ ଧୂପରେ ମହକୁଥିଲା ରାସ୍ତାଘାଟ । ଭସାଣି ଉତ୍ସବରେ ଜନପଥ ପ୍ରକମ୍ପିତ ହୋଇ ଉଠୁଥିଲା |
ତେବେ ଚଳିତ ବର୍ଷ ଡିଜେ ମୁକ୍ତ ରୋଷଣୀ ଓ ନିଶା ମୁକ୍ତ ଭସାଣ କରି ହଜାର ହଜାର ଲୋକ ମାଆଙ୍କ ଦର୍ଶନ କରିବା ଲାଗି ବହୁ ସମୟ ଧରି ଅପେକ୍ଷା କରି ରହିଥିଲେ ଭକ୍ତ | ସୁରକ୍ଷା ପାଇଁ କରଞ୍ଜିଆ ଥାନା ଅଧିକାରୀ ନିରୋଦ୍ କୁମାର୍ ମଲ୍ଲିକ ନିର୍ଦ୍ଦେଶ କ୍ରମେ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦବସ୍ଥ କରାଯାଇଥିଲା |