ଆଜି କୁମାର ପୂର୍ଣ୍ଣିମା

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆଜି କୁମାର ପୂର୍ଣ୍ଣିମା । ସକାଳୁ ସକାଳୁ ଚଉରା ପାଖରେ ମା’ ବୃନ୍ଦାବତୀଙ୍କୁ ସ୍ମରଣ କରି କୁମାରୀମାନେ ପୂଜାର୍ଚ୍ଚନା କରିଛନ୍ତି । ଆଞ୍ଜୁଳି ଟେକିଛନ୍ତି । ନୂଆ ବସ୍ତ୍ର ପରିଧାନ କରିବା ସହ କୁଙ୍କୁମ ଚନ୍ଦନରେ ନିଜକୁ ସଜେଇ ଝିଅମାନେ କୁମାର ଉତ୍ସବ ପାଳନ କରନ୍ତି ।ତେବେ କୁମାର ପୂର୍ଣ୍ଣିମାରେ ଭୋରୁ କୁମାରୀମାନେ ଉଠି ବୃନ୍ଦାବତୀଙ୍କ ପୂଜା ପାଇଁ ଲାଗି ପ଼ଡିଛନ୍ତି । ଆଜିର ଦିନରେ ବୃନ୍ଦାବତୀଙ୍କ ନିକଟରେ ଘର ପରିବାରର ମଙ୍ଗଳ ମନାସି ପୁଜାଚର୍ଚ୍ଚନା କରାଯାଏ। ନିଜ ଆରାଧ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ ଖଇ ଥାଳି ଟେକି ଦେଇ ଝିଅମାନେ ପ୍ରିୟଜନଙ୍କ ସୁଖ ଓ ସମୃଦ୍ଧି କାମନା କରନ୍ତି । ସଂଧ୍ୟାରେ ଚାନ୍ଦ ପୂଜା କରିବାର ପରମ୍ପରା ମଧ୍ୟ ରହିଛି । କୁମାର ପୂର୍ଣ୍ଣିମାରେ ଝିଅମାନେ ବିଭିନ୍ନ ପ୍ରକାର ଖେଳକୁଦରେ ମାତି ଯାଆନ୍ତି । ପୁଚି, ବୋହୁ ବେହାକୁ ଆଉ କବାଡି ଖେଳରେ କମ୍ପି ଉଠେ ଗାଁ ଦାଣ୍ଡ।ସର୍ବଗୁଣସମ୍ପନ୍ନ ଜୀବନସାଥୀ ପାଇବାକୁ କୁମାରୀ କରିବେ ଚନ୍ଦ୍ରପୂଜା ।

ସୁନ୍ଦର ବର ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରାଧନା କରିବା ସ‌ହ ଚନ୍ଦ୍ର ପୂଜା କରାଯାଇଥାଏ । ଏହି ପୂଜା ଗଲେ ଭଲ ବର ମିଳେ ବୋଲି ବିଶ୍ଵାସ ରହିଛି । ଏହି ପୂଜାରେ ଜହ୍ନ ଆସିଲେ ତାକୁ ଦେଖି ଚାନ୍ଦ ପୂଜା ହୁଏ । କାରଣ ଏମିତି କଲେ ଚାନ୍ଦ ପରି ବର ମିଳେ । ଆଉ ସନ୍ଧ୍ୟା ସମୟରେ ଏହି ପର୍ବ ପାଳିତ ହୁଏ ।କୁମାରୀମାନେ ଭୋର୍‌ରୁ ଉଠି ଗାଧୋଇ ନୂତନ ବସ୍ତ୍ର ପରିଧାନ କରିଥାନ୍ତି । ଏହାପରେ ସେମାନେ ବୃନ୍ଦାବତୀଙ୍କ ପାଖରେ ଆଞ୍ଜୁଳାରେ ସାତ ପ୍ରକାରର ଫଳ ନେଇ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି । ଏହାକୁ ଆଞ୍ଜୁଳା ଟେକା କୁହାଯାଏ । ଏହି ପର୍ବରେ କୁମାରୀମାନେ ଦିନସାରା ଭୋଗ ଖାଇ ରହିଥାନ୍ତି ।

 

ଚଉରା ମୂଳ ଲିପାଲିପି କରି ମୁରୁଜ ପକାଇ ପୂଜା କରନ୍ତି । ଖଇ, ଗୁଆ, କଦଳୀ, ନଡ଼ିଆ, କସି କାକୁଡ଼ି, କସି ଜହ୍ନି ଓ ଆଖୁ ଆଦି ଫଳ ପୂଜା କରନ୍ତି । ଏହାକୁ ସୂର୍ଯ୍ୟ ଦେବତାଙ୍କୁ ଚାହିଁ ଆଞ୍ଜୁଳା ଟେକନ୍ତି ।ସନ୍ଧ୍ୟାରେ କୁମାରୀମାନେ ଚଉରା ମୂଳେ ଏକତ୍ର ହୋଇ ଚାନ୍ଦ ପୂଜା କରନ୍ତି । ଚାନ୍ଦ ଉଇଁଲେ ଆରମ୍ଭ ହୋଇଯାଏ ଏହି ପୂଜା । ଏହି ଦିନ ତୁଳସୀ ଗଛରେ ନାଲି ଶଙ୍ଖା ଓ ସାଲୁ କନା ସ‌ହ ନୂଆ ବସ୍ତ୍ରଟିଏ ମଧ୍ୟ ଦିଆଯାଇଥାଏ । ଚଉରା ଆଗରେ ପିଢ଼ାରେ ଗୁଆ ରଖି ତା’ ଉପରେ ଦୁବ ଘାସ, ଫୁଲ, ବରକୋଳି ପତ୍ର ଦେଇ ସଜାଯାଇଥାଏ । ଚଉରା ପାଖରେ ସ୍ଥାପନ କରାଯାଇଥିବା କଳସରେ ମଧ୍ୟ ଆମ୍ବଡାଳ, ଗୁଆ, ସିନ୍ଦୁର, ଚନ୍ଦନ ଇତ୍ୟାଦି ସଜାଯାଇଥାଏ ।

 

ଭୋଗ ପାଇଁ ଖଇ, ନଡ଼ିଆ, କଦଳୀ, ଛେନା, ଦ‌ହି, କ୍ଷୀର, କାକୁଡ଼ି, ତାଳସଜ, ମହୁ, ଅଦା, ଘିଅ, ଆଖୁ, ଗଜା ମୁଗ, ସେଓ, ଚିନି ଇତ୍ୟାଦି ପଡ଼ି ଏକ ଚକଟା ପ୍ରସ୍ତୁତ କରାଯାଇଥାଏ । ଏହି ଚକଟାକୁ ଚାନ୍ଦ ଚକଟା କୁହାଯାଏ । ଖଇ, ନଡ଼ିଆ, କଦଳୀ, ଛେନା ଓ ଗୁଡ଼ ଆଦିରେ ପ୍ରସ୍ତୁତ ଚାନ୍ଦ ଚକଟା ପୂନେଇଁ ଜହ୍ନକୁ ଭୋଗ ଲାଗେ । ଭୋଗ ପରେ ନିଜ ନିଜ ପ୍ରିୟ ସାଙ୍ଗକୁ ସେହି ଚାନ୍ଦ ଖୁଆଇ “ଚାନ୍ଦ” ବସନ୍ତି । ଆଉ ଟିକେ ରାତି ହେଲେ ଖଇ ଆଣି ଚାନ୍ଦକୁ ସମର୍ପଣ କରନ୍ତି। କୁଆଁରୀଙ୍କ ହୁଳହୁଳି ଶବ୍ଦରେ କମ୍ପିଉଠେ ପୂରା ପରିବେଶ ।କୁମାର ପୂର୍ଣ୍ଣିମା ଦିନ‌କୁ ଲକ୍ଷ୍ମୀଙ୍କର ଜନ୍ମଦିନ ରୂପେ ମଧ୍ୟ ପାଳନ କରାଯାଏ । ଏହି ଦିନ ସମୃଦ୍ଧିର ଦେବୀ ଲକ୍ଷ୍ମୀଙ୍କୁ ଗଜ ବାହନ ସ‌ହ ପୂଜା କରାଯାଇଥାଏ । ଏହି ପୂଜା ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସୁନ୍ଦର ଲକ୍ଷ୍ମୀ ମେଢ଼ମାନ ତିଆରି ହୋଇଥାଏ ।

LEAVE A REPLY

Please enter your comment!
Please enter your name here