ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା କାଶୀନଗର ସହରରେ ଥିବା ଏକ ହୋଟେଲ ମାଲିକଙ୍କ ଘରେ କେହି ନଥିବା ଦେଖି କଳାକନା ବୁଲାଇଲେ ଦୃର୍ବୁତ୍ତ ମାନେ । ଦୁର୍ବୃତ୍ତ ମାନେ ଘରେ କେହି ନଥିବା ସମୟରେ ତାଲା ଭାଙ୍ଗି ଘରେ ଥିବା ୧୦ଭରି ସୁନା ଓ ଦୁଇଲକ୍ଷ ପଚାଶ ହଜାର ଟଙ୍କା ଚୋରି କରି ନେଇଯାଇଥିଲେ। ସୂଚନା ମୁତାବକ କାଶୀନଗର ସହରରେ ଥିବା ଅଭିରୁଚି ହୋଟେଲ ମାଲିକ କାନକାରାଜୁ ପଟ୍ଟନାୟକ ନିଜ ପରିବାର ସହ ଆନ୍ଧ୍ରର ଟେକିଲି ଗ୍ରାମକୁ ସୋମବାର ସକାଳ ଯାଇଥିଲେ। ଗାଁ କୁ ଯାଇ ସେହିଦିନ ରାତ୍ର ୧୧ଟା ସମୟରେ ଘରକୁ ଫେରିଥିଲେ, ହେଲେ ସେତେବେଳକୁ ଘର ତାଲା ଭାଙ୍ଗି ପଡିଥିବା ଦେଖି କବାଟ ଖୋଲିଥିଲେ। ଘରେ ଜିନିଷ ପତ୍ର ଅନାବନା ପଡ଼ିଥିବା ଯୋଗୁଁ ସଙ୍ଗେ ସଙ୍ଗେ ପୁଲିସକୁ ସୂଚନା ଦେଇଥିଲେ। କାଶୀନଗର ଥାନା ଅଧିକାରୀ ସୁନୀଲ ବେହେରା, ସବ୍ଇନ୍ସପେକ୍ଟର ଆଲୋକ ଜଗଦଲ, ପ୍ରିୟବ୍ରତ ସ୍ବାଇଁ ଘଟଣା ସ୍ଥଳରେ ପହଞ୍ଚି ହୋଟେଲ ମାଲିକ ସମସ୍ତ ଆଖପାଖ ଘର ଲୋକଙ୍କୁ ପଚରା ଉଚରା କରିଥିଲେ। ମଙ୍ଗଳବାର ସକାଳ ଜିଲ୍ଲାର ପୋଲିସ ସନ୍ଧାନି କୁକୁର ସମେତ ଏକ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଉକ୍ତ ଘଟଣାକୁ ନେଇ ଥାନାରେ ଏକ ମାମଲା ରୁଜୁ ହେବା ସହ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। କାଶୀନଗର ସହରରେ ବହୁ ସମୟରେ ଘରେ କେହି ନଥିବା ଦେଖି ଦୁର୍ବୃତ୍ତ ମାନେ ବହୁ ମାତ୍ରାରେ ସୁନା ଟଙ୍କା ଚୋରି କରୁଥିବା ଯୋଗୁ ଅଞ୍ଚଳରେ କକୂଆ ଭୟ ସୃଷ୍ଟି ହୋଇଛି। କାଶୀନଗର ସହର ବିଭିନ୍ନ ସ୍ଥାନରେ ସିସି କେମେରା ଲଗେଇବା ନେଇ ଏନ୍ଏସି କତୃପକ୍ଷଙ୍କୁ ଅବଗତ କରିଥିବା ପରେ ବି କୌଣସି ପଦକ୍ଷେପ ନିଆଯାଇନଥିବା ଯୋଗୁ ଦୁର୍ବୃତ୍ତ ମାନଙ୍କ ସାହସ ବଡିଥିବା ନେଇ ଚର୍ଚ୍ଚା ହେଉଛି। କାଶୀନଗର ସହରର ସୁରକ୍ଷା ନିମନ୍ତେ ବିଭିନ୍ନ ଛକ ନିକଟରେ ଓ ରାଜ୍ୟ ରାଜପଥ ରାସ୍ତାରେ ଅତିଶୀଘ୍ର ସିସି କେମେରା ଲଗେଇବା ନିମନ୍ତେ ବିଭିନ୍ନ ମହଲରେ ଦାବି ହୋଇଛି।