ବିପ୍ଲବୀ ପରିକ୍ରମା ଡିଜିଟାଲ :- ଏଣିକି ବିକଶିତ ଗାଁ ବିକଶିତ ଓଡ଼ିଶା । ନୂଆ ସରକାରରେ ଯୋଜନାର ନୂଆ ରୂପ, ଢାଞ୍ଚା ବି ହେବ ନୂଆ । ଆମ ଓଡ଼ିଶା ନବୀନ ଓଡ଼ିଶାର ଭବିଷ୍ୟତ ନେଇ ନୂଆ ସରକାର ଆରମ୍ଭ ହେବା ପରଠୁ ଲାଗିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ଏଭଳି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ। କହିଛନ୍ତି, ୨ ଦିନରେ ଆସୁଛି ନୂଆ ଯୋଜନା ବିକଶିତ ଗାଁ ବିକଶିତ ଓଡ଼ିଶାର ଗାଇଡଲାଇନ। ଯେଉଁଥିରେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ କ୍ଷମତା ଦିଆଯିବ। ଗାଁ ଗାଁରେ ପଲ୍ଲୀ ସଭା ଆଉ ଗ୍ରାମ ସଭା ହେବ। ଲୋକଙ୍କ ପ୍ରସ୍ତାବ ଅନୁୟାୟୀ ଫାଇନାଲ ହେବ ପ୍ରକଳ୍ପ ତାଲିକା। ସରକାର ଦେଇଥିବା ଅର୍ଥରେ ଗାଁର କେଉଁ କେଉଁ ପ୍ରକଳ୍ପ କାମ ହେବ ତାହା ପଞ୍ଚାୟତସ୍ତରରେ ହିଁ ସ୍ଥିର ହେବ। ପୂର୍ବ ସରକାର ବେଳେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଅଣଦେଖା କରାଯାଉଥିଲା କହି ଆମ ସରକାରରେ ଏହି ଯୋଜନା ଲୋକଙ୍କ ମତାମତକୁ ନେଇ ଚାଲିବ ବୋଲି ସୂଚା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।ପୂର୍ବ ବିଜେଡି ସରକାରରେ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାକୁ ନେଇ ବିବାଦକୁ ଆସିଥିଲା ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା।ନିର୍ବାଚନ ପୂର୍ବରୁ ନଭେମ୍ବର ୨୦୨୩ରେ ୬ ହଜାର ୭୯୪ ପଞ୍ଚାୟତକୁ ଏହି ଯୋଜନାରେ ପ୍ରାୟ ୩ ହଜାର ୪୫୭ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ ନବୀନ। ହେଲେ ତାର ମାତ୍ର ୩୦ରୁ ୪୦ ପ୍ରତିଶତ କାମ ହୋଇଥିବା ଗୃହରେ ସୂଚନା ଦେଇ ଅଧା ଥିବା କାମକୁ ପୂରା କରାଯିବ ବୋଲି କହିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ। ପୁରୁଣା ଯୋଜନାରେ ପ୍ରତି ପଞ୍ଚାୟତ ପିଛା ୫୦ ଲକ୍ଷ ଟଙ୍କା ଦେଉଥିଲେ ବିଜେଡି ସରକାର। ନୂଆ ଯୋଜନାରେ ନୂଆ ସରକାର କେତେ ଦେଉଛନ୍ତି ଏବଂ ଗାଇଡଲାଇନରେ ଆଉ କଣ ବ୍ୟାବସ୍ଥା ଆଣୁଛନ୍ତି ତା ଉପରେ ନଜର।